Site icon Odisha.com

ଗଣବଳାତ୍କାର: ବ୍ୟକ୍ତିଗତ ହାଜର ପାଇଁ ମୁଖ୍ୟ ସଚିବଙ୍କୁ ସମନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୬(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ସମନ କରିଛନ୍ତି ।

ଏହାସହ ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବ ଏବଂ ଅନୁସୂଚିତ ଜାତି ଜନଜାତି ବିଭାଗ ସଚିବଙ୍କୁ ମଧ୍ୟ ଆସନ୍ତା ମାର୍ଚ୍ଚ ୧୨ରେ ହାଜର ହେବାକୁ କମିଶନ ଅଧ୍ୟକ୍ଷ ପି.ଏଲ୍ ପୁନିଆ ରବିବାର ସମନ ଜାରି କରିଛନ୍ତି ।

ଅନୁସୂଚିତ ଜନଜାତି ଯୁବ ପରିଷଦ ପକ୍ଷରୁ ଏନେଇ କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରାଯାଇଥିଲା ।

ପିପିଲି ଅର୍ଜୁନଗୋଦା ଗ୍ରାମର ୧୯ ବର୍ଷ ବୟସ୍କା ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବରରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୁକ୍ତମାନେ ତାଙ୍କୁ ପୂର୍ବରୁ ୨୦୦୮ରେ ମଧ୍ୟ ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ଘରଲୋକେ ଅଭିଯୋଗ କରିଥିଲେ ।

ସଂପୃକ୍ତ ଯୁବତୀଙ୍କୁ ଏକ ଡ଼ାକ୍ତରଖାନରେ ଚିକିତ୍ସା କରିବାକୁ ମନା କରିଦିଆଯାଇଥିବା ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଏସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା ।

ବର୍ତମାନ କ୍ରାଇମବ୍ରାଞ୍ଚ ପୋଲିସ ଏବଂ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରାଗଠିତ କମିଶନ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଯୁବତୀ ଜଣକ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version