Site icon Odisha.com

ମହାନଦୀରୁ ପାଣି ନେବାକୁ ଆଇଓସିଏଲ୍ କୁ ଅନୁମତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୨୮(ଓଡ଼ିଶା ଡ଼ଟ୍ କମ୍) ମହାନଦୀ ହାଡ଼ିଆପଠା ଠାରେ ବେଆଇନ ନିର୍ମାଣ ମାମଲାର ଚୂଡ଼ାନ୍ତ ରାୟ ଶୁଣାରି କରି ହାଇକୋର୍ଟ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ୍)କୁ ମହାନଦୀରୁ ପାଣି ନେବାକୁ ଅନୁମତି ପ୍ରଦାନ କରିଛନ୍ତି ।

ତେବେ ଖରାଦିନରେ ପାଣି ନେବା ଉପରେ ବିଚାରପତି ବିମଳ ପ୍ରସାଦ ଦାସ ଓ ବିଚାରପତି ମନମୋହନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ କଟକଣା ଜାରି କରିଛନ୍ତି ।

ଏହି ସମୟରେ ଏକ ଜଳଭଣ୍ଡାର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବା ସହ କୋର୍ଟ କେତେକ ସର୍ତ ରଖିଛନ୍ତି । ଶିଶୁ ଭବନର ବିକାଶ ପାଇଁ ଦଶ କୋଟି ଟଙ୍କା ଏବଂ କଟକ ସହରର ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ତିନି କୋଟି ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବେଆଇନ ନିର୍ମାଣ ନେଇ କରାଯାଇଥିବା କଟକଣାକୁ କୋର୍ଟ ପ୍ରତ୍ୟାହାର କରିନେଇଥିବା ବେଳେ ବିନା ଅନୁମତିରେ ବଡ଼ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଦର୍ଶାଯାଇଛି ।

କଟକ ସହରରେ ଏକ ଟ୍ରିନେଣ୍ଟ ପ୍ଳାଣ୍ଟ ନିର୍ମାଣ କରିବା ସହ ପାଞ୍ଚଟି ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଖଣ୍ଡପୀଠରେ ଦର୍ଶାଯାଇଛି ।

ହାଡ଼ିଆପଠା ଠାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ୍ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ବେଆଇନ ନିର୍ମାଣ ବନ୍ଦ କରାନଗଲେ ଏହା ରିଙ୍ଗବନ୍ଧ ଏବଂ ବ୍ୟାରେଜ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଌଦ୍ଭଭଗ୍ଦକ୍ଟ୍ର;

Exit mobile version