Site icon Odisha.com

କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ବିରୋଧୀଙ୍କ ପ୍ରତ୍ୟାଖ୍ୟାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୨(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାରେ କ୍ରାଇମବ୍ରାଞ୍ଚ ପୋଲିସ ଦେଇଥିବା ଚାର୍ଜସିଟକୁ ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳ ସୋମବାର ପ୍ରତ୍ୟାଖ୍ୟାନ କରିଛନ୍ତି ।

“କ୍ରାଇମବ୍ରାଞ୍ଚ ପୋଲିସ ଯେଉଁଭଳି ଭାବେ ଚାର୍ଜସିଟ୍ ଦାଖଲ କରିଛି ତାହାକୁ ଆମେ ନିନ୍ଦା କରୁଛୁ, ଏଥିରେ ଅଭିଯୁକ୍ତ ମାନଙ୍କୁ ଦୋଷମୁକ୍ତ କରାଯାଇଛି” ବିଜେପି ନେତା ଅଶୋକ ସାହୁ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଘଟଣାର ଏକମାତ୍ର ସାକ୍ଷୀ ସଂପୃକ୍ତ ପୀଡ଼ିତା ବର୍ତମାନ କଥା କହିପାରୁନଥିବା ବେଳେ ଚାର୍ଜସିଟ୍ ରେ ବଳାତ୍କାର ଅଭିଯୋଗକୁ ଗୁରୁତ୍ୱ ଦିଆନଯାଇ ଅଭିଯୁକ୍ତଙ୍କୁ ସୁହାଇଲା ଭଳି କରାଯାଇଛି, ସେ କହିଛନ୍ତି ।

ପୋଲିସ ଆରମ୍ଭରୁ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

“ଘଟଣାର ଦେଢ ମାସ ପରେ ଏହାର ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ବଳାତ୍କାର ହୋଇନଥିବା ପୋଲିସ କିଭଳି ଜାଣିଲା” ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ପୀଡ଼ିତାଙ୍କ ଭାଇ ରବିବାର କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ପ୍ରତ୍ୟାଖ୍ୟାନ କରିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

ଗଣବଳାତ୍କାର ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ଘଟଣାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହେବା ପରେ ଗତ ଜାନୁୟାରୀ ୧୯ରେ କୃଷିମନ୍ତ୍ରୀ ପଦରୁ ପ୍ରଦୀପ ମହାରଥି ଇସ୍ତଫା ଦେଇଥିଲେ ।

ବର୍ତମାନ କ୍ରାଇମବ୍ରାଞ୍ଚ ପୋଲିସ ଏବଂ ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରାଗଠିତ କମିଶନ ଏହି ଘଟଣାର ତଦନ୍ତ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version