Site icon Odisha.com

ଅପହୃତ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୮(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଳ୍ଲାରେ ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କୁ ମାନବିକ ଦୃଷ୍ଟିକୋଣରୁ ତୁରନ୍ତ ମୁକ୍ତ କରିବା ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଘଟଣାର ନିନ୍ଦା କରିବା ସହ ସଭ୍ୟ ସମାଜରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ନବୀନ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ଅଧିକାରୀଙ୍କ ସହ ଏ ସଂପର୍କରେ ଆଲୋଚନାକରିଛନ୍ତି । ଘଟଣା ସଂପର୍କରେ କେନ୍ଦ୍ର ବୈଶେିକ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରାଲୟକୁ ଅବଗତ କରାଯାଇଛି ।

ଦୁଇ ଜଣ ଇଟାଲୀୟ ପର୍ଯ୍ୟଟକଙ୍କୁ ଅପହରଣ କରିନେଇଥିବା ସ୍ୱୀକାର କରି ମାଓବାଦୀମାନେ ସକାଳେ ଏକ ଗଣମାଧ୍ୟମକୁ ଅଡ଼ିଓ ସିଡ଼ି ପଠାଇଛନ୍ତି । କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲା ସୀମାରୁ ଏମାନଙ୍କୁ ଅପହରଣ କରାଯାଇଥିବା ଏଥିରେ କୁହାଯାଇଛି ।

“ଆମେ ଦୁଇ ଜଣ ପର୍ଯ୍ୟଟକଙ୍କୁ ଅପହରଣ କରିଛୁ, ସରକାର ମାଓ ବିରୋଧୀ ଅପରେଶନ ବନ୍ଦ କରିବା ସହ ଆମର ୧୩ଟି ଦାବି ପୂରଣ କରିବା ପରେ ସେମାନଙ୍କୁ ମୁକ୍ତ କରାଯିବ” ଅଡ଼ିଓରେ ନିଜକୁ ସବ୍ୟସାଚୀ ପଣ୍ଡା ପରିଚୟ ଦେଇ ଜଣେ ମାଓବାଦୀ କହିଛନ୍ତି ।

ଅପହୃତ ଦୁଇ ବିଦେଶୀ ପର୍ଯ୍ୟଟକ ପୁରୁଷ ଏବଂ ସେମାନେ ଜଙ୍ଗଲ ମଧ୍ୟରେ ଆଦିବାସୀ ମହିଳାଙ୍କ ଫଟୋ ଉଠାଉଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଛନ୍ତି ବୋଲି ସ୍ଥାନୀୟ ଏକ ଟିଭି ଚ୍ୟାନେଲରେ ରିପୋର୍ଟ ପ୍ରକାଶ ପାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version