Site icon Odisha.com

ପର୍ଯ୍ୟଟକଙ୍କ ମୁକ୍ତି ନେଇ ଆଲୋଚନା ଶନିବାର ପର୍ଯ୍ୟନ୍ତ ଜାରି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୩ (ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ଗତ ଏକ ସପ୍ତାହ ହେଲା ମାଓବାଦୀଙ୍କ ଦ୍ୱାରା ଅପହୃତ ଦୁଇଜଣ ଇଟାଲୀୟ ପର୍ଯ୍ୟଟକଙ୍କ ନିରାପଦ ମୁକ୍ତି ନେଇ ଚାଲିଥିବା ଆଲୋଚନା ଶନିବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଦୁଇଜଣ ମାଓ ମଧ୍ୟସ୍ଥି ଓ ସରକାରଙ୍କ ଦ୍ୱାରା ନିଯୁକ୍ତ ତିନିଜଣ ଉଚ୍ଚ ପଦସ୍ଥ ଅଫିସରଙ୍କ ମଧ୍ୟରେ ଶୁକ୍ରବାର ସଂଧ୍ୟା ପର୍ଯ୍ୟନ୍ତ ବହୁଘଣ୍ଟା ଧରି ତେରଦଫା ଦାବି ନେଇ ଆଲୋଚନା ଚାଲିଥିଲା ।

ଏହି ଆଲୋଚନା କିଛି ବାଟ ଆଗେଇଛି କିନ୍ତୁ କୌଣସି ଚୁଡ଼ାନ୍ତରେ ପହଞ୍ଚି ନାହିଁ ବୋଲି ଆଲୋଚନାରେ ଭାଗ ନେଇଥିବା ଜଣେ ଉଚ୍ଚ ପଦସ୍ଥ ଅଧିକାରୀ କହିଛନ୍ତି ।

ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହାର ସମାଧାନ ହୋଇଯାଇପାରେ ବୋଲି ମାଓ ମଧ୍ୟସ୍ଥି ବି.ଡ଼ି.ଶର୍ମା କହିଛନ୍ତି ।

“ବର୍ତମାନ ବି ସେମାନେ ଏହି ଆଲୋଚନାରେ ଜେଲରେ ଥିବା ଜଣେ ମାଓ ନେତାଙ୍କୁ ବି ସାମିଲ
କରିବାକୁ ଚାହୁଁଛନ୍ତି କି?” ବୋଲି ଜଣେ ସମ୍ବାଦିକଙ୍କ ଏହି ପ୍ରଶ୍ନର ଉତ୍ତରରେ ବର୍ତମାନ ଏହା କାର୍ଯ୍ୟକ୍ରମରେ ନାହିଁ ବୋଲି ଶର୍ମା କହିଛନ୍ତି ।

ଅପହୃତ ବ୍ୟକ୍ତି ଦ୍ଵୟ ନିରାପଦରେ ଅଛନ୍ତି ଏବଂ ସେମାନଙ୍କୁ କେବେ ମୁକ୍ତ କରାଯିବ ତାହା ବର୍ତମାନ କହିପାରିବି ନାହିଁ ବୋଲି ଶର୍ମା ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ଉଭୟଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ଗୃହ ସଚିବ ଉପେନ୍ଦ୍ରନାଥ ବେହେରା, ପଞ୍ଚାୟତିରାଜ ସଚିବ ପ୍ରଦୀପ ଜେନା ଏବଂ ଆଦିବାସୀ କଲ୍ୟାଣ ବିଭାଗ ସଚିବ ସନ୍ତୋଷ ଷଡ଼ଙ୍ଗୀ ସରକାରଙ୍କ ପକ୍ଷରୁ ଆଲୋଚନାରେ ପ୍ରତିନିଧିତ୍ୱ କରିଛନ୍ତି ।

ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଶୋଭାଯାତ୍ରା, ର୍ୟାଲି କରି ଦୁଇ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଦାବି କରିବା ସହ ଅପହରଣ ଘଟଣାକୁ ବିରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version