Site icon Odisha.com

ଅପହୃତ ଜଣେ ଇଟାଲୀୟ ପର୍ଯ୍ୟଟକ ମୁକ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୨୫(ଓଡ଼ିଶା ଡ଼ଟ୍ କମ୍) ଦଶଦିନ ତଳେ ଅପହୃତ ଦୁଇ ଇଟାଲୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ମାଓବାଦୀମାନେ ରବିବାର ଜଣଙ୍କୁ ମୁକ୍ତ କରିଛନ୍ତି ।

“ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ମୁକ୍ତ କରିଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି” ଗୃହ ସଚିବ ଉପେନ୍ଦ୍ରନାଥ ବେହେରା ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଅନ୍ୟ ପର୍ଯ୍ୟଟକ ବାସୁସ୍କୋ ପାଓଲୋ ଏବଂ ବିଜେଡ଼ି ବିଧାୟକଙ୍କ ମୁକ୍ତି ପାଇଁ ସରକାର ଉଦ୍ୟମ ଜାରି ରଖିବେ ବୋଲି ସେ କହିଛନ୍ତି ।

କନ୍ଧମାଳ ଜିଲ୍ଲାର ଏକ ସ୍ଥାନରେ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି ।

ସମାଜର ବିଭିନ୍ନ ବର୍ଗର ଲୋକଙ୍କ ନିବେଦନ ପରେ ସେମାନେ ଏହି ପର୍ଯ୍ୟଟକଙ୍କୁ ମୁକ୍ତ କରିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ସେହିପରି ଶନିବାର ମଧ୍ୟରାତ୍ରିରେ ମାଓବାଦୀମାନେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାୟକ ତଥା ଆଦିବାସୀ ନେତା ୩୭ ବର୍ଷ ବୟସ୍କ ଝିନ୍ନ ହିକକାଙ୍କୁ ଅପହରଣ କରିନେଇଥିଲେ ।

ଅପହୃତଙ୍କ ମୁକ୍ତି ପାଇଁ ସେମାନେ ଆଦିବାସୀ ଅଂଚଳକୁ ପର୍ଯ୍ୟଟକଙ୍କ ଗସ୍ତ ଉପରେ କଟକଣା, ମାଓ ବିରୋଧୀ ଅଭିଯାନ ବନ୍ଦ ତଥା ବିଭିନ୍ନ ଜେଲରେ ଥିବା ବ୍ୟକ୍ତିଙ୍କୁ ଖଲାସ କରିବା ସହ ୧୩ଟି ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version