ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମାର୍ଚ୍ଚ ୨୬(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକାଙ୍କ ଅପହରଣ ପ୍ରସଙ୍ଗ ନେଇ ସୋମବାର ବିଧାନସଭାରେ ବିରୋଧୀମାନେ ପୁଣି ହଟ୍ଟଗୋଳ କରିଛନ୍ତି ।
ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିବା ସହ ସରକାର
ବିରୋଧୀ ସ୍ଲୋଗାନ ଦେଇଥିଲେ ଏବଂ କେତେକ ସଦସ୍ୟ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ।
ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍ପତି ପ୍ରଥମେ ଗୃହକୁ ୧୨ଟା ୩୦ ପର୍ଯ୍ୟନ୍ତ ଏବଂ ପରେ ପୁଣି ସେହି ସମାନ ପରିସ୍ଥିତି ହେବାରୁ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ।
ବିଧାୟକଙ୍କ ଅପହରଣ ଘଟଣାକୁ ନେଇ କଂଗ୍ରେସ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ
| ଗତ ଜିଲ୍ଲାପରିଷଦ ନିର୍ବାଚନ ସମୟରେ କୋରାପୁଟ ଜିଲ୍ଲାରେ ଚାଷି ମୂଲିଆ ଆଦିବାସୀ ସଂଘ ସହ ସରକାର ବୁଝାମଣା କରିଛନ୍ତି ବୋଲି ବିରୋଧୀ ଦଳ ନେତା ଭୂପିନ୍ଦର ସିଂହ ଅଭିଯୋଗ କରିଥିଲେ ।
ତେବେ ପୁଣି ତିନିଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ
କରିଥିଲେ ଏବଂ ବାଚସ୍ପତି ଗୃହକୁ ୪ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍