Site icon Odisha.com

ବ୍ରହ୍ମପୁର: ପୋଲିସ ଗୁଳିମାଡ଼ ଘଟଣାର ତଦନ୍ତ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଫାସିପଡ଼ାରେ ହୋଇଥିବା ପୋଲିସ ଗୁଳିମାଡ଼ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଗଞ୍ଜାମ ଜିଲ୍ଲା ଦୌରାଜଜ୍ ଏହି ଘଟଣାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା ସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ, ସେ କହିଛନ୍ତି ।

ସଂଘର୍ଷରେ କେତେକ ପୋଲିସ କର୍ମଚାରୀ ଓ ଗ୍ରାମବାସୀଙ୍କ ସମେତ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ବ୍ୟକ୍ତି ମାନଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଗୁଣିଗାରେଡ଼ି ସନ୍ଦେହରେ ଗୁରୁବାର ଗ୍ରାମବାସୀମାନେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଅଟକ ରଖିଥିଲେ ଏବଂ ଖବର ପାଇ ଘଟଣାର ତଦନ୍ତ ପାଇଁ ପୋଲିସ ଶନିବାର ଗାଁକୁ ଯାଇଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ବିରୋଧ କରିଥିଲେ ।

ଫଳରେ ପୋଲିସ ଓ ଗ୍ରାମାବସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଉତ୍ୟକ୍ତ ଲୋକମାନେ ପୋଲିସ ଉପରକୁ ଆକ୍ରମଣ କରିଥିବା ବେଳେ ପୋଲିସ ପ୍ରଥମେ ଲୁହବୁହା ବାଷ୍ପ ଏବଂ ପରେ ଗୁଳି ମାଡ଼ କରିଥିଲା ।

ଏଭଳି ଘଟଣା ବର୍ବରୋଚିତ ଏବଂ ଦୋଷୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଘଟଣାର ଅନୁଧ୍ୟାନ ପାଇଁ ଗଞ୍ଜାମ ଜିଲ୍ଲାପାଳ, ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ଆର.କେ.ଶର୍ମା, ଗଞ୍ଜାମ ଏସ୍.ପି ରାଜେଶ ପଣ୍ଡିତ ଘଟଣା ସ୍ଥଳକୁ ଯାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version