Site icon Odisha.com

ପର୍ଯ୍ୟଟକଙ୍କୁ ମୁକ୍ତ କରିବାକୁ ମନା କଲେ ମାଓବାଦୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୬(ଓଡ଼ିଶା ଡ଼ଟ୍ କମ୍) ଦାବି ପୂରଣ ପାଇଁ ସରକାରଙ୍କ ନିଷ୍ପତି ସତ୍ୱେ ଅପହୃତ ଇଟାଲୀୟ ପର୍ଯ୍ୟଟକଙ୍କୁ ମୁକ୍ତ କରିବାକୁ ଶୁକ୍ରବାର ମାଓବାଦୀମାନେ ମନା କରିଦେଇଛନ୍ତି ।

ମାଓ ମଧ୍ୟସ୍ଥି ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଏକ ଫାର୍ସ ଏବଂ ଇଟାଲୀୟ ପର୍ଯ୍ୟଟକଙ୍କୁ ମୁକ୍ତ କରାଯିବ ନାହିଁ ବୋଲି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଏକ ଅଡ଼ିଓ ବାର୍ତା ସ୍ଥାନୀୟ ଟିଭି ଚ୍ୟାନେଲରେ ପ୍ରସାରିତ ହୋଇଛି ।

ସେମାନଙ୍କର ଦାବି ସଂପର୍କରେ ମଧ୍ୟସ୍ଥିଙ୍କ ସହ କୌଣସି ଚୁକ୍ତି କରିନଥିବାରୁ ସେ ସରକାରଙ୍କୁ ସମାଲୋଚନା କରିବା ସହ ମଙ୍ଗଳବାର ସୁଦ୍ଧା ସରକାର ଦାବି ପୂରଣ ନକଲେ ତାଙ୍କ ଦଳ ଚରମ ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ତେବେ ପର୍ଯ୍ୟଟକଙ୍କ ନିରାପଦ ମୁକ୍ତି ପାଇଁ ସରକାର ଗ୍ରହଣ କରିଥିବା ନିଷ୍ପତି ସଂପର୍କରେ ଦୁଇ ମାଓ ମଧ୍ୟସ୍ଥି ସ୍ପଷ୍ଟିକରଣ ଲୋଡ଼ିଛନ୍ତି । ସରକାର କିପରି ଭାବେ ବନ୍ଦୀଙ୍କୁ ମୁକ୍ତ କରିବେ ତାହା ସ୍ପଷ୍ଟ ଜଣାପଡ଼ୁ ନାହିଁ, ଏ ସଂପର୍କରେ ସରକାରଙ୍କ ଦ୍ୱାରାନିଯୁକ୍ତ ଅଧିକାରୀଙ୍କୁ ଜଣାଇଛୁ ବୋଲି ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି କହିଛନ୍ତି ।

“ଏ ସଂପର୍କରେ ସେମାନେ ଉତ୍ତର ଦେବେ” ତିନି ଅଧି୍କାରୀଙ୍କ ସହ ଆଲୋଚନା ପରେ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ମୁଖମନ୍ତ୍ରୀଙ୍କ ଘୋଷଣା ପରେ ମାଓବାଦୀମାନେ ଅପହୃତଙ୍କୁ ମୁକ୍ତ କରିବେ କି ନାହିଁ ସେ ନେଇ ମଧ୍ୟସ୍ଥିଙ୍କ ନିକଟରେ କୌଣସି ସୂଚନା ନଥିବା ମହାନ୍ତି କହିଛନ୍ତି । “ବର୍ତମାନ ପରିସ୍ଥିତିରେ ଆମେ କିଛି କହିପାରିବୁ ନାହିଁ, ମାଓବାଦୀ ଯାହା କରିବେ” ସେ କହିଛନ୍ତି।

ଗତ ମାର୍ଚ୍ଚ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ଓଡ଼ିଶା ଶାଖା ସିପିଆଇ ମାଓବାଦୀ ସଂଗଠନ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋଙ୍କୁ ଅପହରଣ କରିନେଇଥିଲା ।

ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ଝିନ୍ନ ହିକକାଙ୍କୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲା ।

ମିଥ୍ୟା ମାମଲାରେ ବିଭିନ୍ନ ଜେଲ୍ ରେ ଥିବା ବନ୍ଦୀଙ୍କୁ ମୁକ୍ତ କରିବା ସହ ୧୩ଟି ଦାବି ପୂରଣ କରିବାକୁ ସିପିଆଇ ମାଓବାଦୀ ସଂଠନର ଉଭୟ ଦଳ ପକ୍ଷରୁ ସରକାରଙ୍କୁ କୁହାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version