Site icon Odisha.com

ଇସ୍ତଫା ନେଇ ମାଓବାଦୀ ଟେପ୍ ଜାରି କରିପାରନ୍ତି: ହିକକା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ, ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ବିଧାୟକ ପରୁ ଇସ୍ତଫା ନେଇ ମାଓବାଦୀମାନେ ଏକ ଅଡିଓ ଟେପ୍ ଜାରି କରିପାରନ୍ତି ବୋଲି ମୁକ୍ତ ହେବାର ତିନିଦିନ ପରେ ରବିବାର ବିଜେଡି ବିଧାୟକ ଝିନ୍ନ ହିକକା କହିଛନ୍ତି ।

“ମାଓବାଦୀଙ୍କ ପକ୍ଷରୁ ଏନେଇ ଶୀଘ୍ର ଏକ ଅଡିଓ ଟେପ୍ ଜାରି ହେବାକୁ ଯାଉଛି ଏବଂ ଏହା ଇସ୍ତଫା ସଂପର୍କିତ ସମସ୍ତ ବିଭ୍ରାନ୍ତି ଦୂର କରିବ” ୩୭ ବର୍ଷ ବୟସ୍କ ଲକ୍ଷ୍ମୀପୁର ବିଧାୟକ ହିକକା କହିଛନ୍ତି ।

ଖୁବ୍ ଶୀଘ୍ର ସେ ରାଜଧାନୀ ଆସି ଇସ୍ତଫା ସଂପର୍କରେ ଆଲୋଚନା କରିବେ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଜଣାପଡ଼ିବ ବୋଲି ହିକକା କହିଛନ୍ତି । ଏହାସହ ସେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କ ସହ ମଧ୍ୟ ପରାମର୍ଶ କରିବେ ବୋଲି କହିଛନ୍ତି ।

ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲା ୟାପୁଟ ଠାରୁ ମାଓବାଦୀମାନେ ହିକକାଙ୍କୁ ଅପହରଣ କରିନେଇଥିଲେ । ବିଧାୟକ ତଥା ବିଜେଡ଼ିର ପ୍ରାଥମିକ ସଦସ୍ୟ ପଥରୁ ଇସ୍ତଫା ଦେବା ପାଇଁ ରାଜି ହେବାରୁ ଗତ ୨୬ ତାରିଖଦିନ ସେମାନେ ତାଙ୍କୁ ବାଲିପେଟାଠାରେ ଛାଡ଼ିେଇଥିଲେ ।

ପ୍ରଜାକୋର୍ଟରେ ହିକକା ବିଧାୟକ ତଥା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ବିଧାୟକଙ୍କୁ ମୁକ୍ତ କରିବା ପୂର୍ବରୁ ମାଓବାଦୀମାନେ ଏକ ଅଡ଼ିଓ ଟେପ୍ ରେ ଗଣମାଧ୍ୟମକୁ ଜଣାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version