ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୪(ଓଡ଼ିଶା ଡ଼ଟ୍ କମ୍) ଲୋକସେବା ଆୟୋଗ ଦ୍ୱାରାପରିଚାଳିତ ୨୦୧୧ ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲ୍ଳା କେସିଙ୍ଗାର ଅନୁପମ ଶାହା ୩୫ ନମ୍ବର ସ୍ଥାନ ହାସଲ କରି ଓଡ଼ିଶା ଟପ୍ପର ହୋଇଛନ୍ତି ।
କେସିଙ୍ଗା ସହରର ୨୬ ବର୍ଷ ବୟସ୍କ ଅନୁପମ ପିଲାବେଳୁ ମେଧାବୀଛାତ୍ର ଥିଲେ । ସେ କେସିଙ୍ଗା ବିଦ୍ୟାପୀଠ ସ୍କୁଲରୁ ମ୍ୟାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ପାସ୍ କରିଥିଲେ ।
ପରେ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରୁ ବିଜ୍ଞାନରେ ୯୧ ପ୍ରତିଶତ ମାର୍କ ରଖି ପାସ କରିବା ପରେ ୨୦୦୭ରେ ରାଉରକେଲା ଏନ୍ଆଇଟିରୁ ବିଟେକ୍ ରେ କୃତକାର୍ଯ୍ୟ ହୋଇଥିଲେ ।
ଅନୁପମ ତୃତୀୟ ଥର ଆଇଏଏସ୍ ପାଇଁ ଚେଷ୍ଟା କରି ଏହି ସଫଳତା ପାଇଛନ୍ତି । ଏହା ପୂର୍ବରୁ ସେ ଟିସିଏଲ୍ ରେ କାର୍ଯ୍ୟ କରିଥିଲେ । ଅନୁପମଙ୍କ ବାପା ହେମସାଗର ଶାହା ଜଣେ ଡାକ୍ତର ଓ ମାତା ଯାଜ୍ଞସେନୀ ଜଣେ ଶିକ୍ଷୟିତ୍ରୀ ।
ପରିଶ୍ରମ ବଳରେ ସବୁ କିଛି ହାସଲ କରିହେବ ବୋଲି ସେ କହିବା ସହ ଏହି ସଫଳତା ପାଇଁ ପିତାଙ୍କୁ ଶ୍ରେୟ ଦେଇଛନ୍ତି । ଏହି ସଫଳତାରେ ତାଙ୍କ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ସେହିପରି ଭୁବନେଶ୍ୱରର ଲକ୍ଷ୍ମୀନାରାୟଣ ମିଶ୍ର ସର୍ବଭାରତୀୟ ସ୍ତରରେ ୫୬ ସ୍ଥାନ ଅଧିକାର କରିଛନ୍ତି । ୟୁନିଟ ୧ ହାଇସ୍କୁଲରୁ ମ୍ୟାଟ୍ରିକ୍ ପାସ୍ କରିବା ପରେ ସେ ବିଜେବି କଲେଜରେ ଅଧ୍ୟୟନ କରିଥିଲେ ।
ସେ ପ୍ରଥମେ ଭାରତୀୟ ବନସେବା(ଆଇଏଫ୍ଏସ୍) ପରୀକ୍ଷାରେ ସଫଳତା ହାସଲ କରିଥିଲେ ମଧ୍ୟ ପରେ ଭାରତୀୟ ରାଜସ୍ୱ ସେବା(ଆଇଆର୍ଏସ୍) ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ବର୍ତମାନ ସେ ନାଗପୁରରେ ଆୟକର ବିଭାଗରେ ଟ୍ରେନିଂ ଅଫିସରରେ କାର୍ଯ୍ୟ କରୁଛନ୍ତି ।
ଶହେ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଆଶା ରଖିଥିଲେ ଏବଂ ୬୫ ର୍ୟାଙ୍କରେ ରହିଥିବାରୁ ବହୁତ ଖୁସି ବୋଲି ସେ କହିଛନ୍ତି । ଓଡ଼ିଶା କ୍ୟାଡରରେ ରହି ଗରିବ ଲୋକଙ୍କ ସେବା କରିବି ବୋଲି ମିଶ୍ର କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍