Site icon Odisha.com

ସେପ୍ଟେମ୍ବରରୁ ଭୁବନେଶ୍ୱର ଏମ୍ସରେ ଡ଼ାକ୍ତରୀ ପାଠ୍ୟକ୍ରମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୬(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ସିଜୁଆ ଠାରେ ନିର୍ମାଣଧିନ ଏମ୍ସରେ ଡାକ୍ତରୀ ପାଠ୍ୟକ୍ରମରେ ଶିକ୍ଷାଦାନ ଆରମ୍ଭ ହେବ ବୋଲି ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଗୁଲାମନବୀ ଆଜା କହିଛନ୍ତି ।

ବର୍ତମାନ ଏହି ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଏହାକୁ ତ୍ୱରାନ୍ନିତ କରାଯାଉଛି । ପ୍ରତିଷ୍ଠାନର ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ଆଜା ନିର୍ମାଣାଧିନ ଏମ୍ସ ପରିଦର୍ଶନ ପରେ କହିଛନ୍ତି ।

ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ଆଜା ରାଜ୍ୟ ଅତିଥି ଭବନ ଠାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଏବଂ ବିଭାଗର ବରିଷ୍ଠ ପଦାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଟୀକା କରଣ ଏବଂ ନୂତନ ଭାବେ ଆରମ୍ଭ କରାଯାଇଥିବା ଏନ୍.ସି.ଡି କାର୍ଯ୍ୟକ୍ରମ ଆଦିରେ ବ୍ଲକ୍ ଓ ଜିଲ୍ଲାସ୍ତରରୁ ଆସୁଥିବା ରିପୋର୍ଟ ଗୁଡିକୁ ରାଜ୍ୟ ସରକାର ନିଜର ବିପିଓ ମାଧ୍ୟମରେ ତନଖିକରି ଡାଟାବେସ୍ କରିବା ସହିତ ତାର କପି କେନ୍ଦ୍ରକୁ ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଶେଷରେ ବିଭିନ୍ନ ରାଜ୍ୟର ଏହି ସବୁ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାର ସେହି ସବୁ ଯୋଜନାକୁ ଅଧିକ ସୁଦୃଢ ଏବଂ ସହାୟତା ଆଦି ପାଇଁ ବ୍ୟବସ୍ଥା କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ୱରରେ ଏକ ଜାତୀୟ କର୍କଟ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବା ଏବଂ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ସହିତ ଯୋଗ ଓ ନେଚରପାଥି କେନ୍ଦ୍ରୀୟ ପ୍ରତିଷ୍ଠାନ ସ୍ଥାପନ କରିବା, ରାଜ୍ୟରପଛୁଆ ଜିଲ୍ଲା ମାନଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକର ଉନ୍ନତି କରଣ ପାଇଁ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ମାଧ୍ୟମରେ ଅର୍ଥ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

ସେହିପରି ଶେଷରେ ବୟସ୍କ ଲେକଙ୍କ ପାଇଁ ୮ ଟି ଆଞ୍ଚଳିକ ଜେରିଆଟିକ୍ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଥିବାରୁ ସେଥିରୁ ଗୋଟିଏ ଓଡିଶାରେ କରିବା ପାଇଁ ଆଜାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version