Site icon Odisha.com

ଉଦାସୀ ସାହୁ ପାଇବେ ଫ୍ଲୋରେନ୍ସ ନାଇଟାଙ୍ଗଲ୍ ପୁରସ୍କାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୯(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ମହିଳା ସ୍ୱାସ୍ଥ୍ୟ କର୍ମୀ ଉଦାସୀ ସାହୁ ଚଳିତ ବର୍ଷ ସମ୍ମାନଜନକ ଜାତୀୟ ଫ୍ଲୋରେନ୍ସ ନାଇଟାଙ୍ଗଲ୍ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଚଳିତ ମାସ ୧୨ ତାରିଖ ନୂଆଦିଲ୍ଲୀ ଠାରେ ଆୟୋଜିତ ଉତ୍ସବରେ ଭାରତର ରାଷ୍ଟ୍ରପତି ପ୍ରତିଭା ଦେବୀସିଂହ ପାଟିଲ ତାଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରିବେ ।

ଶେଷରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିୟୋଜିତ ନର୍ସ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସେମାନଙ୍କର ସେବାର ସର୍ବୋଚ୍ଚ ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ଦିଆଯାଇଥାଏ ।

ପୁରସ୍କାର ବାବଦକୁ ନଗଦ ୫୦ ହଜାର ଟଙ୍କା , ମାନପତ୍ର ଓ ଏକ ମେଡାଲ ପ୍ରଦାନ କରାଯିବ । ମଇ ମାସ ୧୨ ତାରିଖ ଫ୍ଲୋରେନ୍ସ ନାଇଟାଙ୍ଗଲ୍ ଙ୍କ  ଜନ୍ମଦିନକୁ ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଉଛି ।

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ପାଟନା ବ୍ଲକ୍ ଅନ୍ତର୍ଗତ ଚିଦିଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ୪୨ ବର୍ଷ ବୟସ୍କା ସାହୁ କୁଶଳୀ ପ୍ରସବ ସହାୟିକା, ନବଜାତ ଓ ଶିଶୁଙ୍କ ସ୍ୱାସ୍ଥ୍ୟର ସମନ୍ୱିତ ପରିଚାଳନା ଏବଂ ନବଜାତ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ତାଲିମ ପାଇଛନ୍ତି ।

ଗତ ଏକ ବର୍ଷ ମଧ୍ୟରେ ସେ ୩୦୯ ଜଣଙ୍କର ଆନୁଷ୍ଠାନିକ ପ୍ରସବ କରାଇବା ସହିତ ୩୪ ଜଣ ଜଟିଳ ଗର୍ଭବତୀଙ୍କୁ ଚିହ୍ନଟ କରି ୩୨ ଜଣଙ୍କର ନିଜେ ପ୍ରସବ କରାଇ ପାରିଛନ୍ତି ।

ସେ ଦଶଟି ନବଜାତ ଶିଶୁଙ୍କର ଜୀବନ ରକ୍ଷା ମଧ୍ୟ କରାଇ ପାରିଛନ୍ତି । ଗ୍ରାମାଞ୍ଚଳରେ ଗର୍ଭବତୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସହିତ ନିୟମିତ ଡାକ୍ତରଙ୍କ ପାଖରେ ପରୀକ୍ଷା କରାଇବାର ସୁବିଧା କରାଇ ପାରିଛନ୍ତି ।

ଏହି ଜାତୀୟ ପୁରସ୍କାର ପାଇଁ ସେ ମନୋନୀତ ହୋଇଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ, ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version