ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ମଇ ୯(ଓଡ଼ିଶା ଡ଼ଟ୍ କମ୍) ଜଣେ ଗର୍ଭବତୀ ମହିଳାଙ୍କୁ ମହାନଦୀରେ ଫିଙ୍ଗି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଅବସରପ୍ରାପ୍ତ ଜଜଙ୍କ ସମେତ ଚାରି ଜଣଙ୍କୁ ବୁଧବାର ଗିରଫ କରିଥିବା ପୋଲିସ କହିଛି ।
ଏହି ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା ପାଇଁ ଉଦ୍ୟମ କରାଯିବା ସହ ଏଥିପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ସୁପାରି ଦିଆଯାଇଥିଲା ବୋଲି କଟକ ଡିସିପି ପ୍ରବୀଣ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏଥିରେ ସଂପୃକ୍ତ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସମୀର କୁମାର ରାୟ, ପତ୍ନୀ ଗୀତିକା ରାୟ, ତାଙ୍କ ପୁତ୍ର ସତ୍ୟବ୍ରତ ରାୟ ଏବଂ ସହଯୋଗି ପ୍ରଶାନ୍ତ କୁମାର ଦାସଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି ।
ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମହିଳାଙ୍କୁ ମହାନଦୀକୁ ଫିଙ୍ଗିଥିବା ଯୁବକ ତଥା ସୁପାରି କିଲରମାନେ ଧରା ପଡ଼ିନାହାନ୍ତି । ପୋଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।
ସୂଚନାଯୋଗ୍ୟ ଯେ ମିନି ନାମକ ଏହି ମହିଳା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଲୁମ୍ବିନୀ ବିହାରରେ ସତ୍ୟବ୍ରତ ରାୟଙ୍କ ଘରେ ଗତ ପାଞ୍ଚ ବର୍ଷ ଧରି ରହି ଆସୁଥିଲେ ।
ସେ ସତ୍ୟବ୍ରତଙ୍କୁ ଗୁପ୍ତ ବିବାହ କରିଥିଲେ ଏବଂ ଗର୍ଭବତୀ ହୋଇଥିଲେ । ତେବେ ସତ୍ୟବ୍ରତଙ୍କ ବିବାହ ଅନ୍ୟତ୍ର ଠିକ୍ ହୋଇଯିବାରୁ ସେ ମିନିଙ୍କୁ ପ୍ରତାରଣା କରିଥିଲେ ବୋଲି ଅଭିଯୋଗ ହୋଇଛି ।
ଏହା ଜାଣିପାରି ମିନି ଦୃଢ଼ ପ୍ରତିବାଦ କରିବାରୁ ସତ୍ୟବ୍ରତ ଓ ତାଙ୍କ ପରିବାର ଲୋକେ ତାଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରୁଥିଲେ । ତା’ପରେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା ।
ଯୋଜନା ମୁତାବକ ପାଞ୍ଚ ଜଣ ଯୁବକ ସୋମବାର ରାତିରେ ମିନିଙ୍କ ହାତ ଓ ଗୋଡ଼ ବାନ୍ଧି ମହାନଦୀକୁ ଫିଙ୍ଗି ଦେଇଥିଲେ ବୋଲି ମହିଳା ଜଣକ ପୋଲିସକୁ କହିଛନ୍ତି ।
ମଙ୍ଗଳବାର ଭୋରରୁ କେତେକ ଲୋକ ମହିଳାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେବା ପରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତମାନ ସେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।
ଓଡ଼ିଶା ଡ଼ଟ୍ କମ୍