Site icon Odisha.com

ସମ୍ବଲପୁରୀ ନୃତ୍ୟକୁ ଗିନିଜ୍ ବୁକ୍ ରେ ସ୍ଥାନିତ ପାଇଁ ପ୍ରୟାସ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମଇ ୧୩(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓଡ଼ିଶାକୁ ସାଂସ୍କୃତିକ ଏକତାର ବନ୍ଧନରେ ବାନ୍ଧି ରଖିବା ସହ ସମ୍ବଲପୁରୀ ନୃତ୍ୟକୁ ଗିନିଜ୍ ବୁକ ଅଫ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ଏ ନେଇ ରବିବାର ଅଗ୍ରଗାମୀ ଯୁବକ ସଂଘର ସମ୍ମିଳନୀ କକ୍ଷରେ ପଶ୍ଚିମ ଓଡ଼ିଶାର କଳାକାରଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ପୂର୍ବରୁ ବିଦେଶରେ ୧୨୦୫ କଳାକାରଙ୍କୁ ନେଇ ସମ୍ମିଳୀତ ଲୋକନୃତ୍ୟର ରେକର୍ଡ଼ ରହିଥିବାରୁ ଅନୁନ୍ୟ୧୩୫୦ରୁ ଉଦ୍ଧ୍ୱର୍ କଳାକାରଙ୍କୁ ନେଇ ନୂତନ ରେକର୍ଡ଼ ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

କୌଣସି ବ୍ୟକ୍ତି ବା ସଙ୍ଗଠନର ଅଧିନରେ କରାନଯାଇ “ଡ଼୍ୟାନ୍ସ ଫର୍ କଲଚରାଲ ୟୁନିଟି ଅଫ୍ ୱେଷ୍ଟର୍ଣ୍ଣ ଓଡ଼ିଶା” ବ୍ୟାନରରେ ଏହା ଆୟୋଜିତ ହେବ । ଏଥିରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଳା ଓ ଆଠ ମଲ୍ଲିକ ଅଞ୍ଚଳର ୧୩୫୦ କଳାକାରଙ୍କୁ ଏକତ୍ରିତ କରାଯିବ ।

ଏଥିରେ ବିଭିନ୍ନ ଜିଲ୍ଳାର ସାଂସ୍କୃତିକ ସଙ୍ଗଠନର କଳାକାର ମାନେ ନିଜ ନିଜ ବ୍ୟାନରରେ ଅଂଶ ଗ୍ରହଣ କରିପାରିବେ ଯଦ୍ୱାରା ସେମାନଙ୍କର ବ୍ୟକ୍ତିଗତ କିମ୍ବା ଗୋଷ୍ଠୀଗତ ସ୍ୱାତନ୍ତ୍ରତା ଅକ୍ଷୁର୍ଣ୍ଣ ରହିବ ବୋଲି ନିଷ୍ପତି ନିଆଯାଇଛି ।

ଏଥିପାଇଁ ସମ୍ବଲପୁରୀ ପଞ୍ଚରସୀ ଶୈଳୀରେ ଏକ ଗୀତ ରଚନା କରାଯିବ ଯେଉଁଥିରେ ପଶ୍ଚିମ ଓଡ଼ିଶାର ପ୍ରତିଟି ଜିଲ୍ଳାର ଉକ୍ରର୍ଷତାର ବର୍ଣ୍ଣନା ରହିବ । ଏହି ଗୀତ ରଚନା ପାଇଁ ଖୁବ୍ ଶୀଘ୍ର ପଶ୍ଚିମ ଓଡ଼ିଶାର ଖ୍ୟାତନାମା କଳାକାରଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି ବୈଠକରେ କୁହାଯାଇଛି ।

ଏହା ସହିତ ଏହି ସାଂସ୍କୃତିକ ଆନ୍ଦୋଳନରେ ଯୋଗ ଦେଉଥିବା ପଶ୍ଚିମ ଓଡ଼ିଶାର କଳାକାର ମାନଙ୍କ ଜୀବନୀ ଓ ସେମାନଙ୍କର ଠିକଣା ଓ ଉପଲବ୍ଧୀକୁ ନେଇ ପୁସ୍ତକ ଆକାରରେ ଏକ କଳାକାର ଡ଼ାଇରେକ୍ଟୋରୀ ମଧ୍ୟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ପରବର୍ତିୀ ସମୟରେ ପ୍ରତ୍ୟେକ ଜିଲ୍ଳାର କଳା ସଙ୍ଗଠକଙ୍କୁ ଏଥିରେ ସାମିଲ କରାଯିବା ସହ ଜିଲ୍ଳା ସ୍ତରୀୟ କମିଟି ମାନ ଗଠନ କରାଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି କାର୍ଯ୍ୟକ୍ରମକୁ ଚୁଡ଼ାନ୍ତ ରୂପ ଦିଆଯିବା ସହ ଆଗାମୀଦିନରେ ବିଭିନ୍ନ ସବ୍ କମିଟି ମାନ ଗଠନ କରାଯିବାକୁ ନିଷ୍ପତି ନିଆଯାଇଛି ।

ସଙ୍ଗୀତ ନିର୍ଦ୍ଦେଶକ ଚୌତନ୍ୟ ପାଇକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶିଷ୍ଠ କଳାକାର ଜିତେନ୍ଦ୍ରିୟ ହରିପାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ସମୟରେ କ୍ରିଷ୍ଣା ପଟେଲ ଓ ରୀନା ଦାଶ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ।

ସମାରୋହର ପ୍ରାରମ୍ଭରେ ସମଲେଶ୍ୱରୀ ଦେବୀଙ୍କ ପ୍ରତିଛବିରେ ଧୂପ ଓ ଦୀପ ପ୍ରଜ୍ୱଳନ କରି ବିଭିନ୍ନ ଜିଲ୍ଳାରୁ ଆସିଥିବା କଳାକାର ମାନେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

କଳା ସଂସ୍କୃତି କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ସ୍ୱତନ୍ତ୍ର ସ୍ଥାନରହିଛି ଓ ସମ୍ବଲପୁରୀ ନୃତ୍ୟ ସଙ୍ଗୀତ ଆର୍ନ୍ତଜାତିକ ସ୍ତରରେ ପ୍ରତିଷ୍ଠିତ ହୋଇ ପାରିଛି ବୋଲି ପାଇକ କହିଥିଲେ ।

ବୈଠକରେ ରଣଜିତ ନାଗ, ଦୁର୍ଗା ଦାଶ, ରଞ୍ଜନ ସାହୁ, ରାଜେନ୍ଦ୍ର ସିକନ୍ଦର, ଆରତୀ ମିଶ୍ର, ଶଙ୍କର ପଟ୍ଟନାୟକ, ସୁରେନ୍ଦ୍ର ହୋତା, ସତ୍ୟବ୍ରତ ସାହୁ, ବିଷ୍ଣୁ ଚରଣ ଦାଶ ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଳାରୁ ଆସିଥିବା କଳାକାର ଓ କଳା ସଙ୍ଗଠକ ମାନେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version