Site icon Odisha.com

କେମିତି ଚାଲିଛି ସରକାରଙ୍କ କୁଷ୍ଠରୋଗ ନିରାକରଣ ଯୋଜନା !

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୧୪(ଓଡ଼ିଶା ଡ଼ଟ୍ କମ୍) ସରକାରୀ ଓ ବେସରକାରୀ ସ୍ତରରେ କୁଷ୍ଠ ନିରାକରଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ ଭଦ୍ରକ ଜିଲ୍ଲାରେ ଏହାର ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ ପ୍ରମାଣିତ ହୋଇଛି ।

ଚାନ୍ଦବାଲି ବ୍ଲକ ଅଧିନସ୍ଥ ବାଲିଗାଁ ପଞ୍ଚାୟତର ନରସିଂହପୁର ଗ୍ରାମର ନରେନ୍ଦ୍ର ଏହି ଯୋଜନାରୁ ବଞ୍ଚିତ ହୋଇ ଗତ ପ୍ରାୟ ୬ମାସ ହେବ ପରପିଣ୍ଡାରେ ଆଶ୍ରୟ ନେଇଛନ୍ତି ।

ରାଜ୍ୟ ତଥା ଦେଶକୁ ସମ୍ପୂର୍ଣ୍ଣ କୁଷ୍ଠରୋଗ ମୁକ୍ତ କରି ଗଢ଼ି ତୋଳିବାକୁ ସରକାରୀ ସ୍ତରରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇ ଚାଲିଥିବା ବେଳେ ନରେନ୍ଦ୍ରଙ୍କ ପରିବାର ବର୍ତମାନ ଦୁର୍ଦ୍ଧିନରେ କାଳାତିପାତ କରୁଛନ୍ତି ।

ନରେନ୍ଦ୍ରଙ୍କ ପତ୍ନୀ ପ୍ରମିଳା ପଢ଼ିଆରୀ ନିଜର ଦୁଃଖ ସଂପର୍କରେ ବର୍ଣ୍ଣନା କରିଛନ୍ତି । ପ୍ରମିଳା ନରସିଂପୁର ଗ୍ରାମର ନରେନ୍ଦ୍ର ପଢ଼ିଆରୀଙ୍କୁ ବିବାହ କରିଥିଲେ । ଆଖିରେ ଆଖିଏ ସ୍ୱପ୍ନ ନେଇ ସେ ଆରମ୍ଭ କରିଥିଲେ ନିଜର ସଂସାର । ମାତ୍ର ଅଦିନ ମେଘ ପରି ମାଡ଼ିଆସିଥିଲା ତାଙ୍କ ସଂସାର ଉପରକୁ କଳାବାଦଲ ।

ବିଭିନ୍ନ ସ୍ଥାନରେଦିନ ମଜୁରୀଆ ଭାବେ କାର୍ଯ୍ୟ କରୁଥିବା ନରେନ୍ଦ୍ର ହଠାତ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇପଡ଼ିଲେ । ଗ୍ରାମାଞ୍ଚଳରେ କୁଷ୍ଠ ନିରାକରଣ ଦିଗରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଦୃଷ୍ଟିର ଆଢ଼ୁଆଳରେ ରହିଗଲେ ସେ ।

ସଚେତନତା ତଥା ଶିକ୍ଷାର ଅଭାବରୁ ସେ ସରକାରୀ ସହାୟତାରୁ ବଞ୍ଚିତ ହୋଇ କ୍ରମେ ଅକର୍ମଣ୍ୟ ହୋଇପଡ଼ିଲେ । ୩ ଝିଅ, ପୁଅ ଓ ପତ୍ନୀଙ୍କୁ ନେଇ ନରେନ୍ଦ୍ରଙ୍କ ପରିବାର ।

ନରେନ୍ଦ୍ର ସମ୍ପୂର୍ଣ୍ଣ ଅକର୍ମଣ୍ୟ ହେବାପରେ ଅସହାୟ ହୋଇପଡ଼ିଛନ୍ତି ପ୍ରମିଳା । ପିଲାଙ୍କ ପାଠପଢ଼ା, ଔଷଧ ଓ ଦୈନନ୍ଦିନ ଖର୍ଚ୍ଚ ପାଇଁ ସେ ବିଭିନ୍ନ ଲୋକଙ୍କ ଘରେ ଗାଈ ଗୁହାଳ କାମ କରିବା ସହ ନିଜର ଏକମାତ୍ର ଗାଈର କ୍ଷୀର ବିକ୍ରୀ କରି ରୋଜଗାରର ପନ୍ଥା ବାଛିଛନ୍ତି ।

ନିଜର ଘର ନଥିବାରୁ ଏବଂ ଘର ତିଆରି ପାଇଁ ସମ୍ବଳର ଅଭାବ ପାଇଁ ଗତ ପ୍ରାୟ ୬ମାସ ହେବ ସେ ଓ ପରିବାରର ଅନ୍ୟ ୫ଜଣ ସଦସ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ସ୍ଥାନରେ ପଲିଥିନ ଟାଣି ଆଶ୍ରୟ ନେଇଛନ୍ତି ।

କିନ୍ତୁ ଆଜିର ଏହି ସଭ୍ୟ ସମାଜ ଏକ କୁଷ୍ଠ ରୋଗମୁକ୍ତ ସୁନ୍ଦର ପୃଥିବୀ ଗଠନର ସ୍ୱପ୍ନ ଦେଖୁଥିବା ବେଳେ ଏହି ଅସହାୟ ପରିବାର ସମସ୍ତ ସୁବିଧାରୁ ବଞ୍ଚିତ ହୋଇଥିବାରୁ ସରକାରଙ୍କ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ବର୍ଷାଦିନ ଆସୁଥିବାରୁ ସେମାନେ କିପରି ଚଳିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ତେଣୁ ନରେନ୍ଦ୍ର ଏବଂ ତାଙ୍କ ପରିବାର ଲୋକଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇବୋକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version