Site icon Odisha.com

ମହିଳାଙ୍କୁ ମହାନଦୀ କୁ ଫିଙ୍ଗିବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ମଇ ୧୫(ଓଡ଼ିଶା ଡ଼ଟ୍ କମ୍) ମହାନୀରେ ମିନି ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କୁ ଫିଙ୍ଗି ଦିଆଯିବା ଘଟଣାରେ ପୋଲିସ ମଙ୍ଗଳବାର ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।

”ଜଟଣୀ ବାଇପାସ୍ ନିକଟରୁ ସୁପାରିକିଲର ବାପି ଓରଫ ପ୍ରଶାନ୍ତ କୁମାର ସାହୁ ଏବଂ ବିଜୁ ଓରଫ ବିଜନ କୁମାର ମଲ୍ଲିକକୁ ଗିରଫ କରିଥିବା” ଡ଼ିସିପି ପ୍ରବୀଣ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେମାନଙ୍କ ଠାରୁ ଏକ କାର ଓ ଦେଢ଼ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ପିପିଲି ଆଞ୍ଚଳର ବାପି ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଓ ବାଲେଶ୍ୱରର ବିଜନ୍ ସାଲିଆସାହିରେ ରହୁଥିଲା ବୋଲି ସେ କହିଛନ୍ତି ।

ମିନିଙ୍କୁ ଗୁପ୍ତ ବିବାହ କରିଥିବା ସତ୍ୟବ୍ରତ ରାୟ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ସତ୍ୟବ୍ରତ ତାଙ୍କ ଘରେ କାମ କରୁଥିବା ଇଲେକ୍ଟ୍ରିସିଆନ ପ୍ରଶାନ୍ତଙ୍କ ସହିତ ଏ ବିଷୟରେ କଥା ହୋଇ ହତ୍ୟା ଯୋଜନା କରିଥିଲେ ।

ପ୍ରଶାନ୍ତ ଗତ ୭ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ୧୦ ହଜାର ଟଙ୍କା ସୁପାରି ନେଇଥିଲା । ତା’ପରେ ପ୍ରଶାନ୍ତ ଓ ବିଜନ୍ ଙ୍କ ସମେତ ୫ ଜଣ ସତ୍ୟବ୍ରତଙ୍କ ଘରକୁ ଆସିଥିଲେ । ସେଠାରେ ସତ୍ୟବ୍ରତଙ୍କ ପରିବାର ଲୋକଙ୍କଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ନେଇଥିଲେ ।

ତା’ପରେ ସେମାନେ ମିନିଙ୍କୁ କ୍ଲୋରୋଫର୍ମ ଶୁଙ୍ଘାଇ ଅଚେତ କରି ବିଜୁର ଗାଡ଼ିରେ ବସାଇ ଖୋର୍ଦ୍ଧା, ଜଟଣୀ, ଢ଼େଙ୍କାନାଳ, ଭୁବନେଶ୍ୱର, ଧବଳେଶ୍ୱରକୁ ନେଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ଶେଷରେ ସେମାନେ ମିନିର ହାତଗୋଡ଼ ବାନ୍ଧି ମହାନଦୀରେ ଫିଙ୍ଗି ଦେଇଥିଲେ ବୋଲି ସେ କହିଛନ୍ତି । ୮ ତାରିଖ ଭୋରରୁ କେତେକ ଲୋକ ମହିଳାଙ୍କ ଚିତ୍କାର ଶୁଣି ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବର୍ତମାନ ସେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।

ପୂର୍ବରୁ ଏହି ମାମଲାରେ ଅବସରପ୍ରାପ୍ତ ଅତିରିକ୍ତ ଦୌରାଜଜ୍ ସମୀର କୁମାର ରାୟ, ଗୀତିକା ରାୟ, ସତ୍ୟବ୍ରତ ରାୟ ଓ ଇଲେକ୍ଟ୍ରିସିଆନ ପ୍ରଶାନ୍ତ ଦାଶକୁ ପୋଲିସ ଗିରଫ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version