ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ମଇ ୧୭(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ଖୁବ୍ ଶିଘ୍ର ଜନ ସେବା ଅଧିକାର ଆଇନ କାର୍ଯ୍ୟକାରୀ କରିବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।
ଏହି ଆଇନ କାର୍ଯ୍ୟକାରୀ ହେଲେ ରାଜ୍ୟର ନାଗରିକମାନେ ଗୁରୁତ୍ୱପୂର୍ଣ୍ଣ ସରକାରୀ ସେବା ଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପାଇ ପାରିବେ ।
ଏହାର କାର୍ଯ୍ୟକାରିତା ପାଇଁ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ଏବଂ ଏହା ଶୀଘ୍ର କ୍ୟାବିନେଟ୍ ଅନୁମୋଦନ ପାଇଁ ରଖାଯିବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇଛି ।
ସରକାରଙ୍କ ଶକ୍ତି, ଗୃହ ଓ ନଗର ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା, ବାଣିଜ୍ୟ ଓ ପରିବହନ, ଘରୋଇ, ଅର୍ଥ, ଗ୍ରାମ୍ୟ ଉନ୍ନୟନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ଆଇନ ଅଧିନରେ ସେବା ଯୋଗାଇ ଦେବେ ।
ଏହି ପ୍ରସ୍ତାବିତ ବିଲ ବିଧାନସଭାର ସ୍ୱୀକୃତି ପାଇବା ପରେ ଜନସାଧାରଣ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂପୃକ୍ତ ବିଭାଗ ଗୁଡ଼ିକ ସେବା ଯୋଗାଇ ଦେବେ । ଏହି ସେବା ଯୋଗାଇବାରେ କୌଣସି ତୃଟି ବିଚ୍ୟୁତି ହେଲେ ଜନସାଧାରଣଙ୍କ ଏହା ବିରୋଧରେ ଅପିଲ କରିବାର ଅଧିକାର ରହିବ ।
ତୃଟି କରିଥିବା ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।
ଓଡ଼ିଶା ଡ଼ଟ୍ କମ୍