Site icon Odisha.com

ପୋସ୍କୋ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନେଇ ପ୍ରଶାସନିକ ତତ୍ପରତା

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମଇ ୨୦(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ନେଇ କମ୍ପାନୀ ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରକଳ୍ପ କାର୍ଯ୍ୟ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି ।

ପଞ୍ଚାୟତିରାଜ ସଚିବ ତଥା ଇଡ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜେନା, ଇଡ୍କୋ ଜମି ଅଧିଗ୍ରହଣ ବରିଷ୍ଠ ଅଧିକାରୀ ସଂଗ୍ରାମ ମହାପାତ୍ର ଏବଂ ଅନ୍ୟ ଅଧିକାରୀମାନେ ଶନିବାର ପ୍ରସ୍ତାବିତ ଅଞ୍ଚଳକୁ ଗସ୍ତ କରି ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି ।

ଏହି ଅଧିକାରୀମାନେ ପୋସ୍କୋ ଅସ୍ଥାୟୀ ଶିବିରରେ ପହଞ୍ଚି ଦିର୍ଘ ୫ବର୍ଷ ଧରି ଘର୍ୱାର ଛାଡ଼ି ଖରାବାର୍ଷାରେ ଟିଣ ଛାତତଳେ ପଡି ରହିଥିବା ୫୨ ପରିବାରଙ୍କ ଦୁଃଖଦୁର୍ଦ୍ଧଶା ସମ୍ପର୍କରେ ପଚାରି ବୁଝିଥିଲେ ।

ଏରସମା ବ୍ଲକ୍ ର କନାଗୋଳି ଅଞ୍ଚଳ ଗସ୍ତ କରି ବାଳିଆମରା ନୀରେ ତୁରନ୍ତ ପୋଲ ନିର୍ମାଣ ସହିତ ପ୍ରକଳ୍ପ ପାଇଁ ଅଧିକୃତ ଅଞ୍ଚଳ ନୋଳିଆସାହି, ମହଦଦାବୀର ଆଶ୍ରମ, ପୋଲାଙ୍ଗ, ଭୂୟାଁପାଳ, ନୂଆଗାଁରେ ଥିବା ପୋସ୍କୋ ଜନସମ୍ପର୍କ କାର୍ଯ୍ୟାଳୟ, ଗୋବିନ୍ଦପୁର, ନୂଆଗାଁ ବାଲିସାହି ଆଦି ପରିଦର୍ଶନ କରିଥିଲେ ।

ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଆଲୋଚନା ସମୟରେ
ଲୋକମାନେ ସ୍ଥାନୀୟ ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରଦୀପ ଜେନାଙ୍କୁ ଅବଗତ କରିଥିଲେ ।

ପରେ ପାରାଦ୍ବୀପସ୍ଥିତ ସର୍କିଟ୍ ହାଉସ୍ ରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଇଡ୍କୋ ଅଧ୍ୟକ୍ଷଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଆଗାମୀ ପଦକ୍ଷେପ ନେଇ ଆଲୋଚନା ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version