Site icon Odisha.com

ପାନୀୟ ଜଳ ଅଭାବ ଯୋଗୁଁ ଲୋକେ ହନ୍ତସନ୍ତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ଉପକୂଳବର୍ତୀ ଜଗତସିଂହପୁର ଜିଲ୍ଲାର ଏର୍ସମା ଏବଂ ବାଲିକୁଦା ଅଞ୍ଚଳରେ ପାନୀୟ ଜଳର ଅଭାବ ଯୋଗୁଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ପାଣିର ଅଭାବରେ ସଂପୃକ୍ତ ଅଞ୍ଚଳର  ଲୋକଙ୍କ ଅବସ୍ଥା ଦିନକୁଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଲୋକମାନେ ଗାଧୋଇବା ଏବଂ ଲୁଗା ସଫା କରିବାକୁ ମଧ୍ୟ ପାଣି ପାଉନାହାନ୍ତି ।

ବିଭିନ୍ନ ସ୍ଥାନରେ ଚୂଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ଏବଂ ଏହାକୁ ବ୍ୟବହାର କରୁଛନ୍ତି । ଫଳରେ ଏଭଳି ପାଣି ବ୍ୟବହାର କରି ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ପାରାଦ୍ବୀପ, କୁଜଙ୍ଗ, ଏର୍ସମା ଏବଂ ବାଲିକୁଦା ଅଞ୍ଚଳରେ ଗତ ୧୫ଦିନ ମଧ୍ୟରେ ଜଳସ୍ତର ପ୍ରାୟ
ଦୁଇରୁ ତିନି ମିଟର ତଳକୁ ଖସିଯାଇଥିବା କୁହାଯାଇଛି । ଫଳରେ କୂଅ ଗୁଡ଼ିକର ଜଳସ୍ତର ମଧ୍ୟ ହ୍ରାସ ପାଇବା ସହ ନଳକୂଅରେ ପାଣି ବାହାରୁ ନାହିଁ ।

ପାଣିର ଅଭାବ ମେଣ୍ଟାଇବା ପାଇଁ ଲୋକମାନେ ଦୂଷିତ ପାଣି ବ୍ୟବହାର କରୁଥିବାରୁ ସେମାନେ
ଡ଼ାଇରିଆ ଏବଂ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଦିଆଯାଉଥିବା ପାଣି ନିୟମିତ ଭାବେ ଉପଲବ୍ଧ ହେଉନଥିବା ଅଭିଯୋଗ ହୋଇଛି ।

କେତେକ ସ୍ଥାନରେ ବିଦ୍ୟୁତ୍ କମ୍ ଭୋଲ୍ଟେଜ୍ ଯୋଗୁଁ ପାଇପ ଦ୍ୱାରାଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ପାଇପ ଗୁଡ଼ିକ ଫାଟି ଯାଇଥିଲେ ମଧ୍ୟ ବହୁଦିନ ହେଲା ମରାମତି ହୋଇପାରି ନାହିଁ ।

ନଦୀ ଏବଂ ନାଳରେ କମ୍ ଜଳ ପ୍ରବାହିତ ହେଉଥିବାରୁ ଲୋକଙ୍କ ଆବଶ୍ୟକତାକୁ ଏହା ପୂରଣ କରିପାରୁ ନାହିଁ । ଫଳରେ ସେମାନେ ୫ରୁ ୭ କିମି ଚାଲିଚାଲି ଯାଇ ପାଣି ଆଣୁଛନ୍ତି ।

“”ଚାରି କିମି ଦୂରରେ ଥିବା ପଟୁଆ ଗ୍ରାମର ଜଣେ ବ୍ୟକ୍ତିଙ୍କ କୂଅରୁ ବର୍ଷ ତମାମ ଆମେ ପାଣି ଆଣି ଥାଉ । ଏହି କୂଅରୁ ପ୍ରାୟ ଦୁଇ ଶହ ପରିବାର ପିଇବା ପାଣି ପାଉଛନ୍ତି”” ଜଣେ ମହିଳା ସୁକାନ୍ତି ମଣ୍ଡଳ କହିଛନ୍ତି ।

ପାଣିର ଅସୁବିଧା ଯୋଗୁଁ ଆମେ ସପ୍ତାହରେ ଦୁଇ ଥର ଗାଧୋଉଛୁ ତେଣୁ ମହିଳା ଓ ପିଲାମାନେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅନ୍ୟ ଜଣେ ମହିଳା ଅଭିଯୋଗ କରିଛନ୍ତି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ତାଲଦଣ୍ଡା ଓ ମାଛଗାଁଦୁଇଟି ପ୍ରମୁଖ କେନାଲରେ ପାଣି ଆସୁନଥିବାରୁ କେବଳ ମଣିଷ ନୁହେଁ ଗାଈ ଗୋରୁମାନେ ମଧ୍ୟ ପାଣି ପାଇପାରୁ ନାହାନ୍ତି ।

ଏର୍ସମା ଓ ବାଲିକୁଦା ଅଞ୍ଚଳର ପାଖାପାଖି ୨୦/୨୫ଟି ଗ୍ରାମରେ ପାନୀୟ ଜଳର ଅବାଭ ରହିଛି । ତେଣୁ ସଂପୃକ୍ତ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ବୋକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ସୁରଜିତ୍ ଦାସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version