Site icon Odisha.com

ଜୟରାମଙ୍କ ଗସ୍ତ ପୂର୍ବରୁ ଗୁଳି ବିନିମୟ, ଯବାନ ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ମଇ ୨୭(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶଙ୍କ ମାଲକାନଗିରି ଗସ୍ତ ପୂର୍ବରୁ ରବିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ତିନି ଜଣ ଯବାନ ଆହତ ହୋଇଛନ୍ତି ।

ଏହା ସହ ମାଓବାଦୀମାନେ ଜଙ୍ଗଲ ମଧ୍ୟରେ କ୍ଲେମର ମାଇନ୍ ବିସ୍ଫୋରଣ କରିଛନ୍ତି । ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତ ଯବାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଅନ୍ୟଦୁଇ ଜଣଙ୍କୁ କାଲିମେଳା ଚିକିତ୍ସାଳୟରେ ଭର୍ତି କରାଯାଇଛି ।

ଯବାନ ମାନେ କୁମ୍ବିଂ ଅପରେସନ ସାରି ଫେରୁଥିବା ସମୟରେ କାନାଗୁଡ଼ା ଓ କାଲିମେଳା ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଘଟଣା ପରେ ରମେଶଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ରମେଶ ସୋମବାର ସକାଳ ୯ଟାରେ ହେଲିକ୍ୟାପ୍ଟରରେ ମାଲକାନଗିରିରେ ପହଞ୍ଚିବା ପରେ ଶିଖପାଲୀ ଯାତ୍ରା କରିବେ । ସେଠାରେ ସେ ଏକ ଆବାସିକ ବିଦ୍ୟାଳୟର ଗୃହ ଉ୍ଘାଟନ କରିବେ ଓ ବିଚ୍ଛିନ୍ନାଞ୍ଚଳ ଗସ୍ତକରି ଏକ ମାର୍କେଟ କମ୍ପ୍ଲେକ୍ସ ଉ୍ଘାଟନ କରିବେ ।

ପରେ ଦିନ ୧୧ ଟାରେ ସେ ମାଲକାନଗିରି ଫେରିଆସି କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ସଭାରେ ଯୋଗଦେବେ ଏବଂ ମାଲକାନଗିରିରେ ରାତ୍ରିଯାପନ କରି ମଙ୍ଗଳବାର ଛତିଶଗଡ଼ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version