Site icon Odisha.com

ମାଓବାଦୀ ସହରର ଉନ୍ନତିରେ ସହଯୋଗ କରନ୍ତୁ: ଜୟରାମ

ଓଡ଼ିଶା ଡ଼ଟ୍ କମ୍ : ରତ୍ନାକର ଦାଶ

ମାଲକାନଗିରି, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମାନେ ବନ୍ଧୁକ ଛାଡ଼ି ଜାତୀୟ ସ୍ରୋତରେ ସାମିଲ ହୋଇ ସହରର ଉନ୍ନତିରେ ସହଯୋଗ କଲେ ସହରର ବିକାଶ ସମ୍ଭବ ହୋଇପାରିବ ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ କହିଛନ୍ତି ।

ସୋମବାର ଦିନିକିଆ ମାଲକାନଗିରି ଗସ୍ତରେ ଆସି ବିଭିନ୍ନ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବା ଅବସରରେ ସେ ମାଓବାଦୀଙ୍କୁ ଏହି ଆହ୍ୱାନ ଦେଇଛନ୍ତି ।

ସହରର ବିକାଶରେ ଯୁବକ ଓ ନାରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ତେଣୁ ନାରୀ ଓ ଯୁବକମାନେ ସ୍ୱଇଚ୍ଛାରେ ରାଜନୀତିରେ ସାମିଲ ହେଲେ ସହରର ବିକାଶ ପଥରେ ଆଗେଇପାରିବ ବୋଲି ଏକ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ।

ଦିନ ୧୧ଟାରେ ରମେଶ ବିଏସ୍ଏଫ୍ କାର୍ଯ୍ୟାଳୟ ସ୍ଥିତ ହେଲିପ୍ୟାଡ଼ରେ ଓହ୍ଲାଇବା ପରେ ସେଠାରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ସ୍ଥାନୀୟ ଆଦିବାସୀମାନେ ସାନ୍ତାଳୀ ଓ ସିଂହ ନୃତ୍ୟ ପରିବେଷଣ କରି ତାଙ୍କୁ ସ୍ୱାଗତ କରିଥିଲେ ।

ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କରାଯାଇଥିବା ଆମ୍ବ ଓ ଲିଚୁ ବଗିଚା ଦେଖିବା ସହିତ ଚାଷୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ମନ୍ତ୍ରୀଙ୍କ ସହିତ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ତଥା ତାଙ୍କ ବ୍ୟକ୍ତିଗତ ସଚିବ ଭୀନିଲ କ୍ରିଷ୍ଣା ମଧ୍ୟ ଆସିଥିଲେ ।

ପରେ ପଞ୍ଚାୟତ ପ୍ରତନିଧି ମାନଙ୍କଠାରୁ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଶୁଣି ସମସ୍ୟା ଦୁରୀକରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ରମେଶ କହିଛନ୍ତି ।

ମାଓ ପ୍ରବଣ ଅଂଚଳର ବିକାଶ ହେଲେ ଆଦିବାସୀ ମାନଙ୍କର ବିକାଶ ସମ୍ଭବ ହୋଇପାରିବ । ସେହିପରି ୨୫୦ରୁ କମ୍ ପରିବାର ବାସ କରୁଥିବା ମାଓ ପ୍ରବଣ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ୧୭ହଜାର ଜଙ୍ଗଲ ଜମି ପଟ୍ଟା ପାଇଥିବା ହିତାଧିକାରୀଙ୍କୁ ଇନ୍ଦିରା ଆବାସ ଗୃହ ପ୍ରଧାନ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version