Site icon Odisha.com

ସାଂସଦ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିରୁ ନିଲମ୍ବିତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୧(ଓଡ଼ିଶା ଡ଼ଟ୍ କମ୍) ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର ଏବଂ ଦୁଇ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିବା ସହ ଦୁଇ ଜଣ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରିଛନ୍ତି ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଞ୍ଜଳି ବେହେରା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀବ ସାହୁଙ୍କୁ ବହିସ୍କାର କରିବାକୁ ନବୀନ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି ।

ସେହିପରି ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଭୂତି ବଳବନ୍ତରାୟଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଗାଦିଚ୍ୟୁତ କରିବା ପାଇଁ ସାଂସଦ ପ୍ୟାରୀମୋହନ ମହାପାତ୍ର ମଙ୍ଗଳବାର ରାତିରେ ତାଙ୍କ ବାସଭବନରେ କେତେକ ବିଧାୟକଙ୍କ ସହ ଆଲୋଚନା କରିଥିବା ନବୀନଙ୍କ ସମର୍ଥକମାନେ ଅଭିଯୋଗ କରିଥିଲେ ।

ଗତକାଲି ମୁଖ୍ୟମନ୍ତ୍ରୀ ଲଣ୍ଡନରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜିଦିନ ତମାମ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କରିଥିଲେ ।

“ଦଳ ତଥା ନବୀନଙ୍କ ପାଇଁ ୧୨ ବର୍ଷ କଠିନ ପରିଶ୍ରମ କରିଛି । କୁଚକ୍ରୀ ଗୋଷ୍ଠୀର ଶିକାର ହେଲି ଏବଂ ରାଜ୍ୟବାସୀ ଏହାର ବିଚାର କରିବେ” ନିଲମ୍ବନ ପରେ ପ୍ୟାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version