Site icon Odisha.com

ଭଦ୍ରକ: ଷ୍ଟେସନ ରାସ୍ତା ସମ୍ପ୍ରସାରଣ ନେଇ ଜନଆନ୍ଦୋଳନ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜୁନ୍ ୧୪(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଚରମ୍ପା ଛକ ଠାରୁ ଭଦ୍ରକ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ନିୟମାନୁଯାୟୀ ଓସାରିଆ କରିବା ଦାବିରେ ଜନଆନ୍ଦୋଳନ ଦେଖାଦେଇଛି ।

ଏ ନେଇ ଗୁରୁବାର ବିଜୁ ଛାତ୍ର ଜନତା ଦଳର ସଭାପତି ରାକେଶ ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳର ବହୁ ସରପଞ୍ଚ ଓ ସାଧାରଣ ଲୋକ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଚରମ୍ପା ଠାରୁ ଭଦ୍ରକ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ସମ୍ପ୍ରସାରଣ ନିମନ୍ତେ ଭଦ୍ରକ ସ୍ଥିତ ପୂର୍ତ ଓ ଗୃହ ନିର୍ମାଣ ବିଭାଗ ଏକ ଟେଣ୍ଡର ଆହ୍ୱାନ କରିଥିଲା ।

ଉକ୍ତ ରାସ୍ତାଟି ଦୀର୍ଘଦିନରୁ ଅତି ସଂକୀର୍ଣ୍ଣ ଏବଂ ଜନଗହଳି ପୂର୍ଣ୍ଣ ହୋଇଥିଲା । ରେଳ ଷ୍ଟେସନ ଠାରେ ସିମେଣ୍ଟ ଠାରୁ ଆରମ୍ଭ କରି ବହୁ ଗୋଦାମ ଘର ଥିବାରୁ ଉକ୍ତ ରାସ୍ତା ଦେଇ ଦୁଇ ଶହରୁ ତିନି ଶହ ପର୍ଯ୍ୟନ୍ତ ଟ୍ରକ ଗୋଦାମ ଗୁଡ଼ିକରୁ ବିଭିନ୍ନ ଜିଲ୍ଲାକୁ ମାଲ ପରବହନ କରିଥାନ୍ତି ।

କିନ୍ତୁ ରାସ୍ତାକୁ ଚଉଡ଼ା କରାଇ ନଦେବା ପାଇଁ କେତେକ ବ୍ୟକ୍ତି ନିଜର ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି । ତେଣୁ ସେମାନେ ଏହି ରାସ୍ତା ମଝିରେ ଏକ ମେଡ଼ିଆନ ନିର୍ମାଣ କରି ଗୋଟିଏ ପାର୍ଶ୍ଵ ରାସ୍ତାକୁ ୨୨ଫୁଟ ରଖି ପରେ ନିର୍ମାଣ ପାଇଁ ଦାବି କରିଛନ୍ତି ।

ଯଦି ଅଳ୍ପ କେତେକ ବ୍ୟକ୍ତିଙ୍କ ଚକ୍ରାନ୍ତରେ ଉକ୍ତ ରାସ୍ତାକୁ ପୂର୍ବ ନିର୍ଦ୍ଧାରିତ ମାପ ଅନୁଯାୟୀ କରାନଯାଏ ତେବେ ଗଣଧାରଣା ଓ ରାସ୍ତାରୋକ ପରି ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ ନଦିଆଯିବ ବୋଲି ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ ଚରମ୍ପା ବଜାର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ଏଥିରେ ସୁଧାର ଆଣିବା ନିମନ୍ତେ ପରିବହନ ବିଭାଗର ଅଧିକାରୀମାନେ ଚରମ୍ପା ଛକ ଠାରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ରାସ୍ତାର ସଂପ୍ରସାରଣ ଓ ଏକ ପାଖିଆ ରାସ୍ତା ନିର୍ମାଣ ପାଇଁ ସର୍ଭେ କରିଥିଲେ ।

ବିଭାଗୀୟ ଅଧିକାରୀଙ୍କ ରିପୋର୍ଟ ଭିତ୍ତିରେ ଏହାର କାର୍ଯ୍ୟକାରୀତା ପାଇଁ ରାଜ୍ୟ ସରକାର ଡ଼୍ରେନ ନିର୍ମାଣ ବାବଦରେ ୯୨ଲକ୍ଷ ଏବଂ ରାସ୍ତା ନିର୍ମାଣ ପାଇଁ ୨୬ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ।

ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚରମ୍ପା ଛକ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ମୋଟ ୪ଶହ ମିଟର ଦୈର୍ଘ୍ୟର ଏହି ରାସ୍ତାର ଉଭୟ ପାର୍ଶ୍ଵ ୧୮ଫୁଟ, ଡ଼ିଭାଇଡ଼ର ୨ଫୁଟ, ଉଭୟ ପାର୍ଶ୍ଵରେ ଡ଼୍ରେନ ନିର୍ମାଣ ପାଇଁ ୫ ଫୁଟ୍ ଏହିପରି ମୋଟ ୪୮ଫୁଟର ରାସ୍ତା ପାଇଁ ଟେଣ୍ଡର ହୋଇଥିଲା ।

ଉକ୍ତ ରାସ୍ତା ନିର୍ମାଣ ବାବଦକୁ ୩୬ ଓ ଡ଼୍ରେନ ନିର୍ମାଣ ପାଇଁ ୯୨ଲକ୍ଷ ଏହିପରି ମୋଟ ୧୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇ କାର୍ଯ୍ୟାରମ୍ଭ ହେବାକୁ ସ୍ଥିର ହୋଇଛି । ମାତ୍ର ସଂପୃକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ସରକାରୀ ଜମିକୁ ନିଜ ଖଲରେ ରଖି କେତେକ ବ୍ୟକ୍ତି ବ୍ୟବସାୟ ଚଳାଇଛନ୍ତି ଯେଉଁମାନଙ୍କୁ ଉଚ୍ଛେଦ କରି ଥଇଥାନ କରିବାର ଯୋଜନା ଅଛି ।

ଚରମ୍ପା ଛକ ଠାରୁ ଡ଼ାହାଣିଗଡ଼ିଆ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଗଢ଼ି ଉଠିଥିବା ଗ୍ୟାରେଜ ଗୁଡ଼ିକୁ ଉଚ୍ଛେଦ କରିବା, ସାଧାରଣ ଜନତାଙ୍କ ଯାତାୟାତରେ ସୁବିଧା ପାଇଁ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଆଦି ଉଲ୍ଲେଖ କରି ସେମାନେ ଦାବିପତ୍ରର ନକଲ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭଦ୍ରକ ସାଂସଦ, ବିଧାୟକ, ଜିଲା ପରିଷଦ ସଭାପତି ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version