Site icon Odisha.com

କଟକ: ଡ଼ାକ୍ତରଖାନାରେ ପିପିଲି ପୀଡ଼ିତାଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁନ୍ ୨୧(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ପୀଡ଼ିତାଙ୍କ ଗୁରୁବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।

ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ଦୀର୍ଘ ଛଅ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଆଇସିୟୁରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଡ଼ାକ୍ତରଖାନା କର୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି ।

ଗତ କିଛିଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ଗତ ଜାନୁୟାରୀ ମାସରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ଖବର ପାଇବା ପରେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପୋଲିସ ଏବଂ ପୀଡ଼ିତାଙ୍କ ପରିବାର ଲୋକ ଡ଼ାକ୍ତରଖାନାରେ ପହଞ୍ଚିଛି ।

ପିପିଲି ଅର୍ଜୁନଗୋଦା ଗ୍ରାମର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୯ରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୁକ୍ତମାନେ ତାଙ୍କୁ ପୂର୍ବରୁ ୨୦୦୮ରେ ମଧ୍ୟ ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ଘରଲୋକେ ଅଭିଯୋଗ କରିଥିଲେ ।

ସଂପୃକ୍ତ ଯୁବତୀଙ୍କୁ ଏକ ଡ଼ାକ୍ତରଖାନରେ ଚିକିତ୍ସା କରିବାକୁ ମନା କରିିଆଯାଇଥିବା ଅଭିଯୋଗ ହେବାପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଏବଂ ଏସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା ।

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେବ ସହ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ଆନ୍ଦୋଳନ କରାଯାଇଥିଲା ।

ପରେ ସରକାର ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କ୍ରାଇମବ୍ରାଞ୍ଚ ଗତ ଜାନୁୟାରୀ ୧୫ରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନ ଓରଫ ପଶେଇକୁ ଗିରଫ କରିଥିଲା ।

ଏହାସହ ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟ ଅବସରପ୍ରାପ୍ତ ବିଚାରପିତିଙ୍କୁ ନିଯୁକ୍ତ କରିଥିଲେ । ପୀଡ଼ିତାଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ବାପାଙ୍କୁ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version