Site icon Odisha.com

ପିପିଲି ମାମଲା: ୨୮ରେ ଗଣସମାଜର କଳା ଦିବସ ଓ ଧାରଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁନ୍ ୨୩(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ଆସନ୍ତା ୨୮ରେ ରାଜଭବନ ସମ୍ମୁଖରେ କଳା ଦିବସ ଓ ଧାରଣା ଦେବାକୁ ଗଣସମାଜ ପକ୍ଷରୁ ଏକ ଜରୁରୀ ବୈଠକରେ ନିଷ୍ପତି ନିଆଯାଇଛି ।

ପୀଡ଼ିତା ବବିନା ବେହେରାଙ୍କ ମତ୍ୟୁ ପଛ ସମସ୍ତ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ସିବିଆଇକୁ ତଦନ୍ତ ଭାର ଦେବାକୁ ଗଣସମାଜ ତା’ର ଦାବିକୁ ଦୋହରାଇଛି ।

ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର, ଆଇନ ସହାୟତା ପାଇଁ ମନା କରିଥିବା ପୋଲିସ ଏବଂ ମାମଲାକୁ ଚପାଇ ଦେବାରେ ପ୍ରଭାବଶାଳୀ ଭୂମିକା ନିଭାଇଥିବା ଷଡଯନ୍ତ୍ରକାରୀଙ୍କୁ ୩୦୨ ଦଫାରେ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ବୈଠକରେ ଦାବି ହୋଇଛି ।

ପୀଡ଼ିତାଙ୍କ ପରିବାରକୁ ଆଇନଗତ ଓ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ସମସ୍ତ ପ୍ରକାର ନିରାପତ୍ତା ଯୋଗାଇ ଦିଆଯିବାକୁ ଗଣସମାଜ ସରକାରଙ୍କ ନିକଟରେ ଦାବି କରିଛି । ତେବେ ବବିନାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର ନକରି ପୋଲିସ ଓ ପ୍ରଶାସନ ଯେପରି ଅମାନିବକ ଆଚରଣ କରିଛି, ତାକୁ ବୈଠକରେ ତାବ୍ର ନିନ୍ଦା କରାଯାଇଛି ।

ଏହାର ପ୍ରତିବାଦରେ ମୃତ ବବିନାଙ୍କ ବାପା ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯିବାର ପ୍ରସ୍ତାବ ସହ ସାରା ମାମଲାରେ ଦଳିତ, ଅବହେଳିତଙ୍କୁ ବଞ୍ଚିବାର ଅଧିକାର ପ୍ରଦାନରେ ବିଫଳତାକୁ ନିନ୍ଦା କରି ରାଜ୍ୟବ୍ୟାପୀ କଳାଦିବସ ପାଳନ କରିବାକୁ ଗଣସମାଜର ବୈଠକରେ ସହମତି ପ୍ରକାଶ ପାଇଛି ।

ବୈଠକରେ ନିଷ୍ପତି ଅନୁଯାୟୀ ୨୮ ତାରିଖଦିନ ୧୧ଟାରେ ରାଜଭବନ ସମ୍ମୁଖରେ ଗଣସମାଜ କର୍ମକର୍ତାମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ସହ ମାମଲାର ବିବରଣୀ ରାଜ୍ୟପାଳଙ୍କୁ ପ୍ରଦାନ କରିବେ ।

ଏଥିରେ ଦଳ ମତ ନିର୍ବିଶେଷରେ ବୁଦ୍ଧିଜୀବୀ, ଲେଖକ, ଆଇନଜୀବୀ, ଗଣସଂଗଠକ, ରାଜନେତା ବହୁ ସଂଖ୍ୟାରେ ସାମିଲ ହେବାକୁ ଅନୁରୋଧ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version