Site icon Odisha.com

ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସୁନାବେଶ ଦର୍ଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଜୁନ୍ ୩୦(ଓଡ଼ିଶା ଡ଼ଟ୍ କମ୍) ପ୍ରାୟ ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ପୁରୀ ବଡ଼ଦାଣ୍ଡରେ ଶନିବାର ଶ୍ରୀଜୀଉ ମାନଙ୍କର ପ୍ରସିଦ୍ଧ ସୁନାବେଶ ଦର୍ଶନ କରିଛନ୍ତି ।

ବର୍ଷା ସତ୍ୱେ ରଥାରୂଢ଼ ମହାପ୍ରଭୁଙ୍କର ସୁନାବେଶ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।

ରଥ ଉପରେ ଶ୍ରୀଜୀଉଙ୍କ ନୀତି ସମ୍ପନ୍ନ ହେବା ପରେ ଅପରାହ୍ନ ୫ଟା ୧୫ରେ ସୁନାବେଶ ଆରମ୍ଭ ହୋଇଥିଲା । ପୁଷ୍ପାଳକ, ଖୁଣ୍ଟିଆ, ଇତାପତି, ତଳୁଚ୍ଛ ଓ ଭିତରଚ୍ଛ ସେବାୟତମାନେ ଶ୍ରୀଜୀଉଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ ।

ମହଣ ମହଣ ସୁନାରେ ସଜ୍ଜିତ ହୋଇଥିଲେ ତିନି ଠାକୁର । ସ୍ୱର୍ଣ୍ଣ ଅଳଙ୍କାର ଆଭୂଷଣ ଓ ଆୟୂଧ ସହ ବିଭିନ୍ନ ପୁଷ୍ପ ଅଳଙ୍କାରରେ ମଧ୍ୟ ଶ୍ରୀଜୀଉ ମାନଙ୍କୁ ସଜ୍ଜିତ କରାଯାଇଥିଲା ।

ଅଳଙ୍କାର, ଆଭୂଷଣ ଓ ଆୟୂଧରେ ସଜ୍ଜିତ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ସନ୍ଧ୍ୟା ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ଏହି ବେଶ ଦର୍ଶନ ପାଇଁ ରଥ ଚାରିପଟେ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଥିଲା ।

ସୁରକ୍ଷା ଦୃଷ୍ଟିରୁ ସହରରେ ୧୦୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ରାପିଡ଼ ଆକ୍ସନ ଫୋର୍ସ, ବୋମା ନିଷ୍କ୍ରୀୟକାରୀ ଦଳ, ଡଗ୍ ସ୍କ୍ୱାର୍ଡ, କ୍ୱିକ୍ ରେସପନ୍ସ ଟିମ୍ଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଠାକୁରଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଥିଲା ।

ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ସାଦା ପୋଷାକଧାରୀ ପୋଲିସଙ୍କୁ ମଧ୍ୟ ମୁତୟନ କରାଯାଇଥିଲା । ଏହାସହ ସହରକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥରେ ସ୍ପାଏ କ୍ୟାମେରା ଲଗାଯାଇଥିଲା ।

ବର୍ଷକରେ ପାଞ୍ଚଥର ବିଭିନ୍ନ ସମୟରେ ଶ୍ରୀବିଗ୍ରହ ମାନଙ୍କର ସୁନାବେଶ ହୋଇଥାଏ । ଚାରି ଥର ରତ୍ନ ସିଂହାସନରେ ହେଉଥିବାବେଳେ ଗୋଟିଏ ଥର ରଥ ଉପରେ ଅନୁଷ୍ଠିତ ହୁଏ । ତେବେ ଭକ୍ତଙ୍କ ଭିଡ଼ ସତ୍ୱେ ଶାନ୍ତି ଶୃଙ୍ଖଳାର ସହ ସୁନା ବେଶ ଅନୁଷ୍ଠିତ ହୋଇଥିବା ମନ୍ଦିର ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version