Site icon Odisha.com

ରାଉରକେଲା: ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଜୁଲାଇ ୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀମନେ ରାଉରକେଲା ଅଞ୍ଚଳର ଜଣେ ଜଣାଶୁଣା ବିଜେଡ଼ି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ରବିବାର କହିଛି ।

ବିଜେଡ଼ି ନେତା ତଥା ରାଜଗାଙ୍ଗପୁର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ହରୀପଦ ସିଂଙ୍କୁ ସେମାନେ ଗୁଳିକରି ହତ୍ୟା କରିଥିବା ବେଳେ ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ହରୀପଦ ନିଜ ବନ୍ଧୁଙ୍କ ସହିତ କଥା ହେଉଥିବା ବେଳେ ତାଙ୍କ ନିକଟକୁ ଏକ ଫୋନ୍ ଆସିଥିଲା । ଏହି ଫୋନ୍ ଆସିବା ପରେ ହରୀପଦ ମନ୍ଦିର ଡ୍ୟାମ ଆଡ଼କୁ ଯାଇଥିଲେ ।

ସେଠାରେ ପିଏଲ୍ଏଫଆଇର ୪ଜଣ ସଦସ୍ୟ ତାଙ୍କ ହାତକୁ ବାନ୍ଧି ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଗୋଟିଏ ଗୁଳି ତାଙ୍କ ଛାତିରେ ଏବଂ ଅନ୍ୟଟି କାନ୍ଧରେ ବାଜିଛି । ଏଥିରେ ହରୀପଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ତାଙ୍କୁ ସେମାନେ ବିଲେଇଗଡ଼ ନିକଟ ଗୋଶାଳପଡ଼ା ରାସ୍ତାରେ ଫିଙ୍ଗିଦେଇ ଚାଲିଯାଇଥିଲେ । ରବିବାର ସକାଳେ ସ୍ଥାନୀୟ ଲୋକେ ହରୀପଦଙ୍କ ଶବ ଦେଖି ଏ ସଂପର୍କରେ ପୋଲିସକୁ ଖବର ଦେଇଥିଲେ ।

ହରୀପଦଙ୍କ ଶବ ଉପରେ ପଡ଼ିଥିବା ଏକ ପିଏଲ୍ଏଫଆଇ ପୋଷ୍ଟର ମଧ୍ୟ ଜବତ କରାଯାଇଛି । ଏହି ପୋଷ୍ଟରରେ‘ସଂଗଠନ ବିରୋଧି କାମକଲେ ମୃତ୍ୟୁଦଣ୍ଡ, ମୁନାଫାଖୋର ଜମି ଲାଲ ହୁସିଆର’ଲେଖା ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version