Site icon Odisha.com

ବରଗଡ଼: ଏସ୍ଏମ୍ଏସ୍ ଠକେଇ,୫ ବିଦେଶୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁଲାଇ ୧୬(ଓଡ଼ିଶା ଡ଼ଟ୍ କମ୍) ମୋବାଇଲ୍ ଓ ଇଂଟରନେଟ୍ ମାଧ୍ୟମରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଜରିଆରେ ଲୋକଙ୍କୁ ଠକୁଥିବା ଏକ ଅନ୍ତର୍ଜାତିକ ଠକ ଦଳର ପାଞ୍ଚ ଜଣକୁ ବରଗଡ଼ ପୋଲିସ ଗିରଫ କରିଛି ।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୪ଜଣ ନାଇଜେରୀୟ ଯୁବକ ଥିବାବେଳେ ଜଣେ ଉଗାଣ୍ଡାର ମହିଳା ଥିବା ପୋଲିସ କହିଛି । ଏମାନଙ୍କ ଠାରୁ ୧୫ଟି ମୋବାଇଲ୍, ୪ଟି ଲ୍ୟାପ୍ଟପ୍, ଗୋଟିଏ ପ୍ରିନ୍ଟର, ୩ଟି ଲୁହା ବାକ୍ସ, କିଛି କଳାକାଗଜ ଭର୍ତି ଗୋଟିଏ ସୁଟ୍କେସ୍, ୨ଟି ୱାକିଟକି, ଗୋଟିଏ କ୍ୟାମେରା, ଗୋଟିଏ ଟେଲିଫୋନ୍, ୩୧ଟି ସିମ୍କାର୍ଡ଼ ସହ ୪ଟି ପାସ୍ପୋର୍ଟ, ୭ଟି ମୋଡେମ୍ ଓ ୭ଟି ଘଡ଼ି ଜବତ କରାଯାଇଛି ।

ବରଗଡ଼ ରେଳ ଷ୍ଟେସନ୍ ନିକଟରେ ରହୁଥିବା ଶ୍ୟାମସୁନ୍ଦର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୋବାଇଲ କୁ ଜୁନ୍ ୨ ତାରିଖରେ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା । ବିବିସି ଲଟେରୀ କମ୍ପାନୀ ତରଫରୁ ଆପଣ ୧.୬ କୋଟି ଟଙ୍କାର ବିଜେତା ହୋଇଛନ୍ତି ବୋଲି ଏଥିରେ ଉଲ୍ଲେଖ ଥିବା ସହ ଆପଣଙ୍କ ଠିକଣା, ଫୋନ୍ ନମ୍ବର ଆଦିର ସଠିକ୍ ବିବରଣୀ ଦିଅନ୍ତୁ ବୋଲି ଲେଖାଥିଲା ।

ମେସେଜ୍ ପାଇବା ପରେ ଶ୍ୟାମ ସୁନ୍ଦର ଆବଶ୍ୟକ ତଥ୍ୟ ସେହି ନମ୍ବରକୁଏସ୍ଏମ୍ଏସ୍ କରିଥିଲେ । ପରେ ତାଙ୍କ ନିକଟକୁ ପୁନମ୍ ଯୋଗୀ ନାମରେ ଜଣେ ମହିଳା ନିଜକୁ ଆର୍ବିଆଇ ଏଜେଣ୍ଟ ବୋଲି ପରିଚୟ ଦେଇ ଫୋନ୍ କରି କଥାବାର୍ତା ହୋଇଥିଲେ ।

ଏହାର ବଶବର୍ତୀ ହୋଇ ବ୍ୟକ୍ତି ଜଣକ ପ୍ରଥମେ କମ୍ପାନୀ ପକ୍ଷରୁ ପ୍ରଦତ୍ତ ଏକ ଆକାଉଣ୍ଟରେ ୨୧୫୦୦ ଟଙ୍କା ଜମା କରିଥିଲେ । ଟଙ୍କା ଜମା କରିବା ପରେ ପୁରସ୍କାର ଟଙ୍କା ଦେଶ ବାହାରୁ ଆସୁଥିବାରୁ ତାର କଷ୍ଟମ ଡ୍ୟୁଟି, ପ୍ରୋସେସିଂ ଫି ନାଁରେ ପୁନର୍ବାର ଟଙ୍କା ଜମା କରିବାକୁ ତାଙ୍କୁ କୁହାଯାଇଥିଲା ।

ଏହିପରି ପ୍ରାୟ ୧୭ଟି ଇନ୍ଷ୍ଟଲ୍ମେଂଟରେ ସେ ମୋଟ୍ ୫ଲକ୍ଷ ୨୩ହଜାର ୮ଶହ ଟଙ୍କା ଜମା କରିଥିଲେ । ତେବେ ଏତେ ଯଙ୍କା ଜମା କରିବା ପରେ ତାଙ୍କୁ ଆହୁରି ୭୫ହଜାର ଟଙ୍କା ଜମା କରିବାକୁ କୁହାଯିବା ପରେ ଲଟେରୀ ନେଇ ତାଙ୍କୁ ସନ୍ଦେହ ହୋଇଥିଲା ।

ଏସଂପର୍କରେ ସେ ବରଗଡ଼ ଏସ୍ପିଙ୍କୁ ଜଣାଇଥିଲେ । ଗତ ଜୁନ୍ ୩୦ରେ ବରଗଡ଼ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା । ଦିଲ୍ଲୀ, ହରିୟାଣା ପୋଲିସ, ସିବିଆଇ ସାଇବର ସେଲ୍ ର ମିଳିତ ସହଯୋଗରେ ଏକ ୮ଜଣିଆ ଦଳ ଗଠନ କରାଯାଇ ଦିଲ୍ଲୀରୁ ବରଗଡ଼ ପୋଲିସ ଏହି ଠକ ଦଳକୁ ଗିରଫ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version