ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ଜୁଲାଇ ୧୮(ଓଡ଼ିଶା ଡ଼ଟ୍ କମ୍) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ସୁଅାଁସିଆ ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ରର କାନ୍ଥ ଭୁଷୁଡ଼ି ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ବୁଧବାର ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ।
ମାନବାଧିକାର କର୍ମୀ ଆଡ଼୍ଭୋକେଟ୍ ପ୍ରବୀର ଦାସ ଓ ମାନବିକ ଅଧିକାର ସଂଗଠନ କ୍ଲାପ୍ ପକ୍ଷରୁ ଏ ସମ୍ପର୍କରେଆଗତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ସଂଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିଛନ୍ତି ।
ଖଣ୍ଡପୀଠ ଏ ସମ୍ପର୍କରେ ଜବାବ ଦାଖଲ କରିବା ପାଇଁ ରଣପୁର ସିଡ଼ିପିଓ, ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ନୟାଗଡ଼ ଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି ।
ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା, ମୃତ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ, ବିପଦସଙ୍କୁଳ ଅବସ୍ଥାରେ ଚାଲିଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ତୁରନ୍ତ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରିବା ସମ୍ପର୍କରେ ତଦନ୍ତ କରିବା ପାଇଁ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
କ୍ଲାପ୍ ସଂଗଠନ ପକ୍ଷରୁ ଆଡ଼୍ଭୋକେଟ୍ ବିକାସ ଦାସ ମଧ୍ୟ ଯୁକ୍ତି ଉପସ୍ଥାପନ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ବିକାଶ ଦିଗରେ ବିଭିନ୍ନ ବିଭାଗରେ ସମନ୍ୱୟ ରହୁନଥିବା ସମ୍ପର୍କରେ ଅଭିଯୋଗ କରିଥିଲେ ।
ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକର ସଠିକ୍ ପରିଚାଳନା, ଉକ୍ତ କେନ୍ଦ୍ରଗୁଡ଼ିକର ଭିତ୍ତିଭୂମିର ବିକାଶର ତାରଖ ନିମନ୍ତେ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରିବା, ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଏକ ନିର୍ଦ୍ଧିଷ୍ଟ ନୀତି ପ୍ରଣୟନ ପାଇଁ ସେ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ଗତ ୯ ତାରିଖରେ ଶୁଅାଁସିଆ ସାହି ନେଳିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ କାନ୍ଥ ଭୁଶୁଡ଼ି ସାତ ଜଣ ଶିଶୁଙ୍କ ମୃତ୍ୟୁ ହେବା ସହ ଆଠ ଜଣ ଆହତ ହୋଇଥିଲେ ।
ଓଡ଼ିଶା ଡ଼ଟ୍ କମ୍