Site icon Odisha.com

ସଂଗ୍ରାମୀ ଗ୍ରାମ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଅବହେଳା ଅଭିଯୋଗ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଜୁଲାଇ ୨୭(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲା ସଂଗ୍ରାମୀ ଗ୍ରାମ ପାଣିମୋରା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାଂଶ ସମୟରେ ବନ୍ଦ ରହୁଥିବା ବେଳେ ଏଠାରେ ନିଯୁକ୍ତ ଡ଼ାକ୍ତର ସପ୍ତାହକୁ କେବଳ ତିନିଦିନ ଆସନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହି ଅଭିଯୋଗ ପରେ ଶୁକ୍ରବାର ଗ୍ରାମର ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀ ଦୟାନିଧି ନାଏକ ଓ ଜିତେନ୍ଦ୍ର ପ୍ରଧାନଙ୍କୁ ଧରି କିଛି ବ୍ୟକ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରିଥିଲେ ।

ଫଳରେ ଦୁଇ ସ୍ୱାଧିନତା ସଂଗ୍ରାମୀ ଗ୍ରାମର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରିବାକୁ ଆସିଥିବା ବେଳେ ଚିକିତ୍ସାଳୟରେ ଡାକ୍ତରମାନେ ଏହି ସୁଯୋଗକୁ ହାତଛଡ଼ା ନକରି ଦୁଇ ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ ।

ସ୍ୱାସ୍ଥ୍ୟ ପରୀକ୍ଷା ପରେ ଚିକିତ୍ସାଳୟ ପକ୍ଷରୁ ସେମାନଙ୍କୁ ସମସ୍ତ ଔଷଧ ପତ୍ର ଯୋଗାଇ ଦିଆଯାଇଥିଲା ଏବଂ କର୍ଣ୍ଣ ପରୀକ୍ଷା ପରେ ଉଭୟଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା ।

ଆଗାମୀ ସ୍ୱାଧିନତା ଦିବସ ପାଳନ ପୂର୍ବରୁ ରାଜ୍ୟରେ ଜୀବିତ ଥିବା ସମସ୍ତ ସ୍ୱାଧିନତା ସଂଗ୍ରାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମାହାତ୍ମା ଗାନ୍ଧୀଙ୍କ ଦ୍ୱାରାଅନୁପ୍ରାଣିତ ହୋଇ ପାଣିମୋରା ଗ୍ରାମରୁ ୩୨ଜଣ ଭାରତର ସ୍ୱାଧିନତା ସଂଗ୍ରାମରେ ଅଂଶଗ୍ରହଣ କରି କାରାବରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଆଜି କେବଳଦୁଇଜଣ ଜୀବିତ ଅଛନ୍ତି ।

ଏହିପରି ଏକ ସଂଗ୍ରାମୀ ଗ୍ରାମର ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ସ୍ୱାସ୍ଥ୍ୟ ବିଭାଗର ଏଭଳି ଅବହେଳା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version