ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) କିଟ୍ ଆଇନ ସ୍କୁଲ ପକ୍ଷରୁ ଶନିବାର ଆୟୋଜିତ “ସୋସିଆଲ ଜଷ୍ଟିସ୍, ଜୁଡସିଆଲ୍ ଆକ୍ଟିଭିଜମ୍ ଆଣ୍ଡ ରୋଲ୍ ଅଫ୍ ସୁପ୍ରିମକୋର୍ଟ ଅଫ୍ ଇଣ୍ଡିଆ’ ଶୀର୍ଷକ ବକ୍ତୃତା ସଭାରେ ସୁପି୍ରମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ସୁପ୍ରିମକୋର୍ଟର ଭୂମିକା ସଂପର୍କରେ ବକ୍ତବ୍ୟ ରଖିଛନ୍ତି ।
କୋର୍ଟ ନିଷ୍ପତି ସାମାଜିକ ଅଧିକାର ଉପରେ ପର୍ଯ୍ୟବେଶିତ ହୋଇଥାଏ ଏବଂ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷାଗତ ମୌଳିକ ଅଧିକାର ବା ସାମୂହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସାମାଜିକ ନ୍ୟାୟିକ ବ୍ୟବସ୍ଥା ପ୍ରକ୍ରିୟାକୁ କୋର୍ଟ ତ୍ୱରାନ୍ୱିତ କରିଥାଏ ବୋଲି ସେ କହିଛନ୍ତି ।
ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଡ. ବି.ଆର ଆମ୍ବେଦକର ପ୍ରମୁଖଙ୍କ ଉକ୍ତିକୁ ଆଧାର କରି ସାଧାରଣ ବଣ୍ଟନ ବ୍ୟବସ୍ଥା, ସ୍ୱାସ୍ଥ୍ୟଗତ ଅଧିକାର, ଲିଙ୍ଗଗତ ନ୍ୟାୟ ଓ ମଧ୍ୟାହ୍ନ ଭୋଜନ ଭଳି ବ୍ୟବସ୍ଥାରେ ସାମାଜିକ ନ୍ୟାୟର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି ।
ସାମାଜିକ ନ୍ୟାୟ ବ୍ୟବସ୍ଥା ସଂକୀର୍ଣ୍ଣ ବା ପକ୍ଷପାତ କରେ ନାହିଁ କିମ୍ବା ଏହା ଔଦ୍ୟୋଗିକ ନ୍ୟାୟ ଅଧିକାରରେ ସୀମିତ ନୁହେଁ । ଏହା ମୌଳିକ ଆଦର୍ଶ ଓ ଅର୍ଥନୈତିକ ସମାନତା ଉପରେ ପର୍ଯ୍ୟବେଶିତ ହୋଇଥାଏ ବୋଲି ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍