ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜୁଲାଇ ୨୮(ଓଡ଼ିଶା ଡ଼ଟ୍ କମ୍) ରେଳ ବଜେଟରେ ଓଡ଼ିଶା ପାଇଁ ଦିଆଯାଇଥିବା ଅର୍ଥ ପରିମାଣକୁ ହ୍ରାସ କରାଯାଇଥିବାରୁ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି ।
ବଜେଟରେ ଯେତିକି ପରିମାଣର ଅର୍ଥ ବରାଦ କରାଯାଇଥିଲା ତାହା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଏହାବ୍ୟତୀତ ଖୋର୍ଦ୍ଧା ରୋଡ-ପୁରୀ ରେଳପଥର ଦୋହରିକରଣ କାମ ନବକଳେବର ପୂର୍ବରୁ ସାରିବା ପାଇଁ ସେ ଅନୁରୋଧ କରିଛନ୍ତି ।
ଏସଂପର୍କରେ ସେ ଶନିବାର ରେଳବାଇ ମନ୍ତ୍ରୀ ମୁକୁଲ ରାୟଙ୍କୁଦୁଇଟି ଚିଠି ଲେଖିଥିବା ବେଳେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବେମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।
ଗତ ଆର୍ଥିକ ବର୍ଷରେ ଓଡ଼ିଶାରୁ ଭାରତୀୟ ରେଳବାଇ ୭୫୦୦ ଟଙ୍କାର ରାଜସ୍ୱ ସଂଗ୍ରହ କରିଛି । ୨୦୧୨-୧୩ ବର୍ଷର ରେଳ ବଜେଟରେ ଓଡ଼ିଶାକୁ ୨୩୪୫ କୋଟି ଟଙ୍କା ଦେବାକୁ ଦାବି କରାଯାଇଥିଲା । କିନ୍ତୁ ୭୨୩ କୋଟି ଟଙ୍କା ଦିଆଯାଇଥିଲା । ତେବେ ସେଥିରୁ ୧୮୬ କୋଟି ଟଙ୍କା କାଟି ଦେଇଥିବା ଏବେ ଜାଣିବାକୁ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ଆବଶ୍ୟକ ପରିମାଣର ଅର୍ଥ ନମିଳିଲେ ରେଳ ଷ୍ଟେସନ ଓ ଯାତ୍ରୀ ପ୍ରତୀକ୍ଷା ଘର ଗୁଡିକର ଉନ୍ନତି ହୋଇପାରିବ ନାହିଁ । ତେଣୁ ବଜେଟରେ ଦିଆଯାଇଥିବା ପରିମାଣର ଅର୍ଥ ଓଡ଼ିଶାକୁ ମିଳୁ ବୋଲି ସେ ଦାବି କରିଛନ୍ତି
ନବକଳେବର ସମୟରେ ପୁରୀକୁ ୧୦୦ଟି ସ୍ୱତନ୍ତ୍ର ଟ୍ରେନ୍ ର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍