Site icon Odisha.com

ଶିକ୍ଷା ସହାୟକଙ୍କୁ ପ୍ରଥମେ ନିଯୁକ୍ତି, ପରେ ପରୀକ୍ଷା: ହାଇକୋର୍ଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଶିକ୍ଷା ସହାୟକ ନିଯୁକ୍ତି ବେଳେ ସରକାର ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ବାଧ୍ୟତାମୂଳକ କରୁଥିବା ମାମଲାର ବିଚାର କରି ବୁଧବାର ହାଇକୋର୍ଟ ଶିକ୍ଷା ସହାୟକ ମାନଙ୍କୁ ପ୍ରଥମେ ନିଯୁକ୍ତି ଦେବା ପରେ ସେମାନଙ୍କ ଯୋଗ୍ୟତା ପରୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଖାଲି ପଡିଥିବା ୧୭ହଜାର ୪୯୨ଟି ଶିକ୍ଷା ସହାୟକ ପଦବୀରେ ନିଯୁକ୍ତି ନିମନ୍ତେ ୨୦୧୧ ଡ଼ିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ପ୍ରକାଶନ ବେଳେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସଂପର୍କରେ କୌଣସି ସୂଚନା ଦିଆଯାଇ ନଥିଲା ।

କେନ୍ଦ୍ର ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପାଠ ପଢାଉଥିବା ଶିକ୍ଷକମାନଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ବାଧ୍ୟତାମୂଳକ କରିବା ନିମନ୍ତେ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଓଡ଼ିଶା ସରକାର ଏହି ନିୟମକୁ କାର୍ଯ୍ୟକାରୀ କରୁଛନ୍ତି ।

ତେବେ ପ୍ରାର୍ଥୀ ଚୟନ ପରେ ରାଜ୍ୟ ସରକାର ଯୋଗ୍ୟତା ପରୀକ୍ଷାକୁ ବାଧ୍ୟତାମୂଳକ କରିଥିବାରୁ ମିଦର ଅକ୍ତାର ଓ ଅନ୍ୟ ୧୧ ଜଣ ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଚଳିତ ମାସ ୫ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ହେବାକୁ ଥିବା ଏହି ପରୀକ୍ଷାରେ ସମସ୍ତ ମନୋନୀତ ପ୍ରାର୍ଥୀ ଅବତୀର୍ଣ୍ଣ ହେବା ପାଇଁ ସେମାନଙ୍କୁ ବାଧ୍ୟକରାଯାଇଥିଲା ବୋଲି ଆବେଦନକାରୀ ଉଲ୍ଲେଖ କରିଥିଲେ ।

ଏହି ମାମଲା ଗୁଡ଼ିକର ଶୁଣାଣି କରି ବିଚାରପତି ସଂଜୁ ପଣ୍ଡା ଗତ ୨ ତାରିଖରେ ସଂପୃକ୍ତ ପରୀକ୍ଷା ଉପରେ ରହିତାଦେଶ ଜାରି କରିଥିଲେ । ବିଚାରପତି ଆଜିର ଚୁଡ଼ାନ୍ତ ରାୟରେ ଏହି ମନୋନୀତ ପ୍ରାର୍ଥୀଙ୍କୁ ପ୍ରଥମେ ନିଯୁକ୍ତି ଦେଇ ଆସନ୍ତା ଜାନୁଆରୀ ମାସରେ ସେମାନଙ୍କର ପରୀକ୍ଷା କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଥମ ପରୀକ୍ଷାରେ କୌଣସି ପ୍ରାର୍ଥୀ କୃତକାର୍ଯ୍ୟ ନହେଲେ ତାଙ୍କୁ ଦ୍ୱିତୀୟ ଥର ପାଇଁ ପରୀକ୍ଷା ଦେବାର ସୁଯୋଗ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version