Site icon Odisha.com

ଆର୍ଥିକ ସଙ୍କଟ ବରଗଡ଼ ଚିନି କାରଖାନା ପ୍ରଗତିରେ ବାଧକ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍) -ସମବାୟ ଭିତ୍ତିରେ ପ୍ରତିଷ୍ଠିତ ରାଜ୍ୟର ଅନ୍ୟତମ ସର୍ବ ପୁରାତନ ଚିନି କାରଖାନା ରୂପେ ପ୍ରତିଷ୍ଠିତ ବରଗଡ଼ ସମବାୟ ଚିନି କାରଖାନା ସଂପ୍ରତି ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଜଣାପଡ଼ିଛି ।

ଏହି କାରଣରୁ କାରଖାନାକୁ ଆଖୁ ଯୋଗାଇଥିବା ଚାଷୀ ମାନଙ୍କ ମଧ୍ୟରୁ ଅନେକେ ଏ ପର୍ଯ୍ୟନ୍ତ ସେମାନଙ୍କ ପାଉଣା ପାଇ ନଥିବା ଜଣାପଡ଼ିଛି । ଏଣୁ ଆଗାମୀଦିନରେ କାରଖାନାର ଭବିଷ୍ୟତ ନେଇ ଉଭୟ ଆଖୁଚାଷୀ ଓ କର୍ମଚାରୀ ସନ୍ଦିହାନ ହୋଇ ପଡ଼ିଛନ୍ତି ।

ଏଭଳି ଆଶା ଓ ଆଶଙ୍କା ମଧ୍ୟରେ ଗତି କରୁଥିବା ବରଗଡ଼ ସମବାୟ ଚିନି କାରଖାନା ପରିସରରେ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ କର୍ମଚାରୀ, ଆଖୁଚାଷୀ ଓ ପରିଚାଳନା କର୍ତୃପକ୍ଷଙ୍କ ମିଲିତ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ପରିଚାଳନା ନିର୍ଦ୍ଦେଶକ ଦର୍ଶାଇଥିଲେ ଯେ ଚଳିତ ବର୍ଷ କାରଖାନା ଅନ୍ୟୁନ୍ୟ ଏକ ଲକ୍ଷ ଟନ ଆଖୁ ନ ପେଡ଼ିଲେ କାରଖାନା ତାର ଅତ୍ୟନ୍ତ ଜରୁରୀ ଖର୍ଚ୍ଚ ତୁଲାଇ ପାରିବ ନାହିଁ ।

ଏଣୁ ସେ ଉଭୟ ଚାଷୀ ଓ କର୍ମଚାରୀଙ୍କ ସହଯୋଗ କାମନା କରିଥିଲେ । ମାତ୍ର ବରଗଡ଼ ଜିଲ୍ଳା ଆଖୁ ଚାଷୀ ସଂଘ ପାଲଟା ଯୁକ୍ତି କରିଥିଲେ ଯେ ଆଖୁ ଚାଷୀ ମାନେ କାରଖାନାକୁ ଯୋଗାଇଥିବା ଆଖୁର ପ୍ରାପ୍ୟ ଏ ପର୍ଯ୍ୟନ୍ତ ପାଇ ପାରି ନାହାନ୍ତି ।ଏଭଳି ପରିସ୍ଥିତିରେ ଆଖୁ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ପ୍ରକାଶ ପାଉ ନାହିଁ ।

ପୁନଶ୍ଚ ରାଜ୍ୟ ସରକାର କାରଖାନାକୁ ଆବଶ୍ୟକୀୟ ଆର୍ଥିକ ସହାୟତା ନଦେଲେ କାରଖାନା ଚାଲିବାର କୌଣସି ଗ୍ୟାରେଣ୍ଟି ନାହିଁ । ସେଭଳି ପରିସ୍ଥିତିରେ ଯେଉଁ ଚାଷୀମାନେ ଆଖୁ ଚାଷ କରିଥିବେ ସେମାନଙ୍କର ଭବିଷ୍ୟତ କଣ ହେବ?

ଏଣୁ ରାଜ୍ୟ ସରକାର କାରଖାନାକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ କାରଖାନା ଚାଲିବାର ଗ୍ୟାରେଣ୍ଟି ଦେଲେ ଆଖୁଚାଷୀ ସଂଘ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛି ବୋଲି ସଂଘର ସଭାପତି ମନୋରଞ୍ଜନ ସାହୁ ପ୍ରକାଶ କରିଥିଲେ ।

ସେହିଭଳି ୨୦୧୧-୧୨ ଆର୍ଥିକ ବର୍ଷରେ କାରଖାନାକୁ ଆଖୁ ଯୋଗାଇଥିବା ଚାଷୀଙ୍କୁ ସେମାନଙ୍କର ବକେୟା ପ୍ରାପ୍ୟ ତଥା ଟନ ପିଛା ୨୫ ଟଙ୍କା ଲେଖାଏଁ ପରିବହନ ସବସିଡ଼ି ନୂଆଁଖାଇ ପୂର୍ବରୁ ପ୍ରଦାନ ସହ ସଠିକ ସମୟରେ ଉନ୍ନତ ମାନର ଆଖୁ ବିହନ, ରାସାୟନିକ ସାର ,କୀଟନାଶକ ଔଷଧ ଇତ୍ୟାଦି ଯୋଗାଇ କାରଖାନା କର୍ତୁପକ୍ଷ ଚାଷୀଙ୍କ ଆସ୍ଥାଭାଜନ ହେବାକୁ ଆଖୁ ଚାଷୀ ସଂଘ ପରାମର୍ଶ ଦେଇଥିଲା ।

ସେହିପରି ସମବାୟ ଚିନି କାରଖାନା କର୍ମଚାରୀ ସଂଘର କର୍ମକର୍ତା ମାନେ ମଧ୍ୟ ଅତଁମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସାକ୍ଷାତ କରି କାରଖାନାର ଦୁରାବସ୍ଥା ସମ୍ପର୍କରେ ଆଲୋଚନା କରିଥିବାର ସୂଚନା ଦେଇଥିଲେ ।

ଆଖୁଚାଷୀ କର୍ମଚାରୀ ଓ ପରିଚାଳନା ପରିଷଦର ସମନ୍ୱୟ କମିଟିର ଏହି ମିଳିତ ବୈଠକରେ କାରଖାନା ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ମିଶ୍ର, ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମହାନ୍ତି, ଆଖୁ ଉନ୍ନୟନ ଇନଚାର୍ଯ୍ୟ ଇଞ୍ଜିନିୟ ଟି.ଡ଼ି ଲୁଇଓ, ଭଟଲି ଜୋନାଲ ଅଧିକାରୀ ଆଦିତ୍ୟ ନାରାୟଣ ଭୋଇ, ଆଖୁଚାଷୀ ସଂଘର ସଭାପତି ମନୋରଞ୍ଜନ ସାହୁ, ସମ୍ପାଦକ ସୌରୀ ଚରଣ ବାରିକ, ମାର୍କଣ୍ଢ ସା, ବିଷ୍ଣୁ ପାତ୍ର, ପ୍ରହଲ୍ଳାଦ ପ୍ରଧାନ, ବୁଦ୍ଧଦେବ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ବୈଠକର ଅନ୍ତିମ ନିର୍ଣ୍ଣୟ କ୍ରମେ ଚଳିତ ବର୍ଷ ବରଗଡ଼ ଜିଲ୍ଳାରେ ବ୍ୟାପକ ଆଖୁ ଚାଷ କରିବା ସହ ଅଂଚଳର ଗର୍ବ ଓ ଗୌରବ ବୋଲାଯାଉଥିବା ଏକମାତ୍ର କାର୍ଯ୍ୟକ୍ଷମ ସରକାରୀ କାରଖାନାକୁ ଲାଭଜନକ ସଂସ୍ଥାରେ ପରିଣତ କରାଯିବା ନିମନ୍ତେ ମିଳିତ ପ୍ରୟାସ କରାଯିବ ।ଏଥି ସକାଶେ ସମନ୍ୱୟ କମିଟିର ଏକ ପ୍ରତିନିଧି ମଣ୍ଡଳ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗ ସହ ସମ୍ପର୍କ କରିବାକୁ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version