Site icon Odisha.com

ସ୍ୱାମୀ ଲକ୍ଷ୍ମଣାନନ୍ଦ ଶ୍ରାଦ୍ଧବାଷିକୀ: କନ୍ଧମାଳରେ କଡା ସୁରକ୍ଷା ବ୍ୟବସ୍ଥା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ, ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)-ଅଗଷ୍ଟ ୨୩ ତାରିଖରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ୪ ବର୍ଷ ପୂରିବ । ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏହିଦିନଟିକୁ ଚତୁର୍ଥ ଶ୍ରାଦ୍ଧବାଷିକୀ ରୂପେ ପାଳନ କରାଯିବ । ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସମଗ୍ର କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାର ପ୍ରବେଶ ପଥକୁ ସିଲ କରାଯାଇଛି । ବିଭିନ୍ନ ଥାନା ଅଂଚଳରେ ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବା ପରେ ପାଟ୍ରୋଲିଂକୁ କଡାକଡି କରାଯାଇଛି । ଯାନବାହାନ ଆଦି ଚେକିଂ କରା ଯାଉଛି । ଫୁଲବାଣୀ ସହରରେ ୬ ପ୍ଲାଟୁନ ଫୋର୍ସ ମୁତୟନ କରା ଯାଇଛି ।

ସହରର ବିଭିନ୍ନ ଛକ, ବସଷ୍ଟାଣ୍ଡ, ଚର୍ଚ୍ଚ ଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳରେ ୧୯ ପ୍ଲାଟୁନ ସାଦା ପୋଷାକଧାରୀ ସୁରକ୍ଷା କର୍ମୀ, ୬ ପ୍ଲାଟୁନ ଓଏସ୍ପି, ୩ ୟୁନିଟ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି ।

ସେହିପରି ବାଲିଗୁଡାଠାରେ ୧ ପ୍ଲାଟୁନ ଆଇଆରବି,୧ପ୍ଲାଟୁନ ଓ ଏସ୍ଏପି, ସ୍ଥାନୀୟ ପୋଲିସ ମୁତୟନ ଥିବାବେଳେ ସମ୍ବେନଶୀଳ ଅଂଚଳ ଦାରିଙ୍ଗବାଡି ଠାରେ ୧ ୟୁନିଟ ଏସ୍ଓଜି ଜବାନ,୧ ପ୍ଲାଟୁନ ଆଇଆରବି, କୋଟାଗଡଠାରେ ୨ ପ୍ଲାଟୁନ ସିଆରପିଏଫ,୧ ପ୍ଲାଟୁନ ଏସ୍ ପିଓଙ୍କୁ ମୁତୟନ କରାଯାଇଛି ।

ବାରଖମାରେ ଡିଏସ୍ପି ଅଜୁନ ବାରିକଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ଆଇଆରବି ଫୋର୍ସ ମୁତୟନ କରାଯାଇଥିବା ବିଷୟ ଡିଏସ୍ ପି ଡିଆଇଜି ଗୁପ୍ତ ଚନ୍ଦ୍ର ବେହେରା ପ୍ରକାଶ କରିଚନ୍ତି ।

ଆଜି ଫୁଲବାଣୀ ସହରରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ସନ୍ଥ ଚିନ୍ତନ ବଗ ଅନୁଷ୍ଠିତ ହେଉଥିଲା ବେଳେ ଆସନ୍ତାକାଲି ଗୁରୁବାର ଫୁଲବାଣୀ କୋରୋନେସନ ପଡିଆଠାରେ ଶାନ୍ତି ପ୍ରତିବାଦ ସଭା ଅନୁଷ୍ଠିତ ହେବ । ଅପରାହ୍ନ ୧.୩୦ ସମୟରେ ନଗର ଭ୍ରମଣ ଓ ୨.୩୦ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version