Site icon Odisha.com

ଓଡ଼ିଶୀ ନୃତ୍ୟର ଶ୍ରଦ୍ଧା ସୁମନରେ ଗୁରୁ କେଳୁଚରଣଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୯ (ଓଡ଼ିଶା ଡ଼ଟ୍ କମ୍)-୧୮ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିମ ସଂଧ୍ୟା ।

୧୯୯୫ରୁ ଏହି ପୁରସ୍କାର ସଙ୍ଗୀତ, ନୃତ୍ୟ, ନାଟକ ଏବଂ ଚଳଚ୍ଚିତ୍ର କ୍ଷେତ୍ରରେ ଆଜୀବନ ସାଧନା କରି ଯେଉଁମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ସୃଜନ ସେହି ପ୍ରତିଭାମାନଙ୍କୁ ପ୍ରତିବର୍ଷ ସମ୍ମାନିତ କରିଆସୁଅଛି । ଗୁରୁ କେଳୁ ଚରଣ ମହାପାତ୍ରଙ୍କ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଓଡ଼ିଶୀ ନୃତ୍ୟର ଶୁଦ୍ଧତା ଓ ଶାସ୍ତ୍ରୀୟତାକୁ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିଆସୁଅଛି ।

ଏ ବର୍ଷ ନୃତ୍ୟ ଓ ନାଟକ କ୍ଷେତ୍ରରେ ବର୍ଷୀୟାନ ଗୋଟିପୁଅ ଗୁରୁ ବୀରବର ସାହୁ ଏବଂ ପ୍ରଖ୍ୟାତ ମଞ୍ଚ ଓ ଚଳଚିତ୍ର କଳାକାର ଶ୍ରୀଯୁକ୍ତ ରାମଚନ୍ଦ୍ର ପ୍ରତିହାରୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ରଚିତ ଭୋ ଶମ୍ଭୋ ପରିବେଷଣ କରିଥିଲେ ସୃଜନର କଳାକାରମାନେ । ଦୃତ ଲୟରେ ଏହି ନୃତ୍ୟରେ କଳାକାରମାନେ ପ୍ରଭୁ ଶିବଙ୍କର ବିଭିନ୍ନ ରୂପ ଓ ଗୁଣର ମହିମା ବର୍ଣ୍ଣନ କରିଥିଲେ ।

ଦ୍ଵୀତୀୟ କାର୍ଯ୍ୟକ୍ରମ ଥିଲା ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ରଚିତ ଆନନ୍ଦ ଲହରୀ ବେଦ ବନ୍ଦନା । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଦେବାଶିଷ ସରକାର । ଅନ୍ତିମ କାର୍ଯ୍ୟକ୍ରମ ଥିଲା ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟର କିଛି ବିଭାବ ଏବଂ ନୃତ୍ୟ ଶୈଳୀକୁ ନେଇ ଏକ ସମକାଳୀନ ବିଷୟ ବସ୍ତୁ ବିଶ୍ୱାସ ଉପରେ ।

ଧାର୍ମିକ ବିଶ୍ୱାସ ଏବଂ ସତ୍ୟର ସନ୍ଧାନ ଏବଂ ମନୁଷ୍ୟର ଭାବନାର ଏକ ଅପୂର୍ବ ସମ୍ମନୟର ପରିଭାଷା ଥିଲା ଏହି ନୃତ୍ୟ ପରିବେଷଣରେ । ଏହାର ସଂଙ୍ଗୀତ ସଂଯୋଜନା କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ ଏବଂ ଏହି ତିନୋଟି ନୃତ୍ୟାଭିନୟକୁ ସଂଯୋଜନା କରିଥିଲେ ଗୁରୁ ରତିକାନ୍ତ ମହାପାତ୍ର ।

ନିଖୁଣ ଏବଂ ଛନ୍ଦମୟ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଯାହାକୁ ଶେଷ ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ ।

ଉତ୍ସବର ଅତିଥିମାନେ ଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ; ମନ୍ତ୍ରୀ ପର୍ଯ୍ୟଟନ, ସଂସ୍କୃତି, ଯୋଜନା ଓ ସମ୍ମନୟ ଶ୍ରୀଯୁକ୍ତ ମହେଶ୍ୱର ମହାନ୍ତି; ପ୍ରମୁଖ ଶାସନ ସଚିବ ପର୍ଯ୍ୟଟନ ଓ ସଂସ୍କୃତି ଅଶୋକ କୁମାର ତ୍ରିପାଠୀ; ବିଶିଷ୍ଟ ମଂଚ ଅଭିନେତା ଓ ନିର୍ଦ୍ଦେଶକ ରାମ ଚନ୍ଦ୍ର ପ୍ରତିହାରୀ, ଗୋଟିପୁଅ ନୃତ୍ୟ ଗୁରୁ ବୀରବର ସାହୁ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ।

କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସାଧନା ଶ୍ରୀବାସ୍ତବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version