Site icon Odisha.com

ନିମ୍ନ ସୁକ୍ତେଲ୍ ନିର୍ମାଣ ଦାବିରେ ଅନଶନ ଜାରି

ବଲାଙ୍ଗୀର, ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ଦାରିଦ୍ର୍ୟ, ଅନାହାର, ଦାଦନ, ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ପ୍ରବଣ ଜିଲ୍ଲା ଭାବେ ପରିଚିତ ବଲାଙ୍ଗୀର ସ୍ୱାଧୀନତାର ୬୫ ବର୍ଷ ପରେ ମଧ୍ୟ ଜଳସେଚନ ସୁବିଧାରୁ ବଞ୍ଚିତ ରହିଛି ।

ଏଇ ଅବସ୍ଥାରେ ଜିଲାବାସୀଙ୍କ ପାଇଁ ଲୋୟର ସୁକ୍ତେଲ୍ ପ୍ରକଳ୍ପ ନିର୍ମାଣର ଆବଶ୍ୟକତା ଥିବାବେଳେ ଏହା ମରିଚିକା ପାଲଟିଗଲାଣି । ଏହି ପ୍ରକଳ୍ପ ଦାବୀରେ ଜିଲ୍ଲାବାସୀ ଦୀର୍ଘ୧୩ଦିନ ତଳୁ ଅନସନରେ ବସିଛନ୍ତି ।

ଅନଶନକାରୀଙ୍କ ମଧ୍ୟରୁ ୨୫ରୁଉର୍ଦ୍ଧ୍ଵ ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ରାଜ୍ୟ ସରକାର ଆସନ୍ତା ୨୭ ତାରିଖରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ପଦକ୍ଷେପ ନେଉଥିବା ଜଣାପଡ଼ିଛି । ହେଲେ ଆନ୍ଦୋଳନକାରୀ ମାନେ ଏସଂପର୍କରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ଜିଦ ଧରିଛନ୍ତି ।

କିନ୍ତୁ ଏଥିପ୍ରତି ସରକାରଙ୍କର ଆନ୍ତରିକତା ଥିବା ଭଳି ମନେ ହେଉନାହିଁ । ପ୍ରକାଶଥାଉକି, ବଲାଙ୍ଗୀରର ଲୋକସଭା ସଦସ୍ୟ ଥିଲାବେଳେ ଶରତଚନ୍ଦ୍ର ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୧୯୯୪-୯୫ ମସିହାରେ ଅଷ୍ଟମ ପଞ୍ଚବାର୍ଷିକ ଯୋଜନାରେ ଏହି ପ୍ରକଳ୍ପ ପାଇଁ ଆର୍ଥିକ ମଞ୍ଜୁର କରାଯାଇଥିଲା । ମରୁଡ଼ିପ୍ରବଣ ବଲାଙ୍ଗୀର ଜିଲ୍ଲାରେ ଖରାଦିନେ ବାସିନ୍ଦାମାନଙ୍କୁ ପିଇବା ପାଣି ମଧ୍ୟ ମିଳି ନଥାଏ ।

ଜଳସେଚନ ପାଇଁ ଚାଷୀମାନେ ପାଣି ପାଉନଥିବାରୁ ଏହି ଜିଲ୍ଲାର ଚାଷ କ୍ଷତିଗ୍ରସ୍ତ ହେବା ସଙ୍ଗେସଙ୍ଗେ ପ୍ରତିବର୍ଷ ୧ଲକ୍ଷରୁ ଉର୍ଦ୍ଧ୍ଵ କୃଷି ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି ।

ଏହି ଜିଲ୍ଲାରେ ଜଳସେଚିତ ଜମିର ପରିମାଣ ମାତ୍ର ୪ ଭାଗ ହୋଇଥିବା ବେଳେ ଏହି ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଘଟୁଥିବାରୁ କେନ୍ଦ୍ର ସରକାର ୨୦୧୩ ମସିହା ସୁଦ୍ଧା ଏହାର କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତତ୍କାଳିନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ମଧ୍ୟ ବଲାଙ୍ଗୀର, କଳାହାଣ୍ଡି ପ୍ରଭୃତି ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କରେ ଏହି ଅବସ୍ଥା ଦେଖି ଏଠାରେ ଜଳସେଚନ ସୁବିଧା କରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଶରତ ଚନ୍ଦ୍ର ପଟ୍ଟନାୟକଙ୍କୁ ସେ ସମୟରେ ଚିଠି ଲେଖିଥିଲେ ।

ତତ୍କାଳୀନ କେନ୍ଦ୍ର ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷଙ୍କୁ ଶରତ ପଟ୍ଟନାୟକ ନିଜେ ବାରମ୍ବାର ଭେଟି ନିମ୍ନ ସୁକ୍ତେଲ୍ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରାଇଥିଲେ । ଏବେ ମଞ୍ଜୁର ଅର୍ଥ ୧୨ ଶହ କୋଟି ଟଙ୍କା ପଡ଼ି ରହିଥିଲେ ହେଁ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।

ଏହି ପ୍ରକଳ୍ପ ତୁରନ୍ତ ନିର୍ମାଣ କରିବାକୁ ପୂର୍ବତନ ଲୋକସଭା ସଦସ୍ୟ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦାବୀକରିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ସମଗ୍ର ଜିଲ୍ଲାରେ ବନ୍ଦ୍ ପାଳନ କରାଯିବା ସହିତ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଗତ ବିଧାନସଭା ଅଧିବେଶନ ସମୟରେ ଜିଲ୍ଲାର ବିଧାୟକମାନେ ଧାରଣା ଦେଇ ଏ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାର ଖୋଲାଖୋଲି ଭାବେ ଆନ୍ଦୋଳନକାରୀ ମାନଙ୍କ ସହିତ ଆଲୋଚନା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version