Site icon Odisha.com

ଡ଼ିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଆନ୍ଦୋଳନ ଡ଼ାକରା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)- ଉପା-୨ ସରକାର ଭାରତ ବର୍ଷର ସାଧାରଣ ଜନତାକୁ ଆମ୍-ଆ୍ମୀର ବଜେଟ୍ ଦେବାକଥା କହି ସର୍ବକାଳୀନ ଭାବରେ ପାଞ୍ଚ ଟଙ୍କା ଡ଼ିଜେଲ ଦର ବୃଦ୍ଧିକରି ସାଧାରଣ ଜନତାଙ୍କୁ ପ୍ରତାରିତ କରିଛି ବୋଲି ବିଜୁ ଯୁବ ଜନତା ଦଳ ଗୁରୁବାର କହିଛି ।

ଡ଼ିଜେଲ ଦର ବୃଦ୍ଧି ଭାରତ ବର୍ଷର ଗ୍ରାମ୍ୟ ଭିତିଭୂମିକୁ ଦୋହଲାଇଦେବ । ସାମଗ୍ରିକ ଭାବରେ ବ୍ୟବସାୟ ବାଣିଜ୍ୟ, କୃଷିଭିତ୍ତିକ ଶିଳ୍ପ ଏହି ଡ଼ିଜେଲର ବୃଦ୍ଧି ଦ୍ୱାରା ସାଂଘାତିକ ପ୍ରଭାବିତ କରିବ ।

ସମ୍ପୂର୍ଣ୍ଣ ଭାବରେ ଅର୍ଥନୈତିକ ସ୍ଥିତି, ଗରିବ ସାଧାରଣବର୍ଗ ଏବଂ କୃଷକମାନଙ୍କୁ ଶକ୍ତ ଧକ୍କା । ୪୬ କୋଟି ଟଙ୍କାର ରାଜ୍ୟଗୋଷ୍ଠୀ କ୍ରିଡ଼ା ଦୁର୍ନୀତି, ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ଟୁ-ଜି ସ୍ପେକ୍ଟ୍ରମ ଦୁର୍ନୀତି, ୧ ଲକ୍ଷ ୮୪ ହଜାର କୋଟି ଟଙ୍କାର କୋଇଲା ଦୁର୍ନୀତିରେ ସମ୍ପୃକ୍ତ କଂଗ୍ରେସ ଦଳର ଏଭଳି ଜନମାରଣ ନୀତିକୁ ଓଡ଼ିଶାରେ ତୀବ୍ର ବିରୋଧ କରାଯିବ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ସଂଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତି ।

ଆଗରୁ ବହୁବାର ଡ଼ିଜେଲ ଦର ବୃଦ୍ଧି କରିଥିବା ବେଳେ ଏବେ ସର୍ବାଧିକ ୫ଟଙ୍କା ବୃଦ୍ଧି କଲାପରେ ଏ କଥା ପ୍ରମାଣିତ ହୋଇଯାଇଛି ଯେ କଂଗ୍ରେସ ଦଳର କୌଣସି ନୈତିକ ଅଧିକାର ନାହିଁ ଭାରତ ବର୍ଷର ଶାସନ ଗାଦିରେ ବସିବା ପାଇଁ । କେନ୍ଦ୍ର ସରକାରଙ୍କର ଏହିଭଳି ଜନବିରୋଧି ଆଭିମୁଖ୍ୟକୁ ଓଡ଼ିଶାର ଜନ ସାଧାରଣ ଆଗାମୀଦିନରେ କବର ଦେବେ ।

ଶାନ୍ତିପ୍ରିୟ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ନିଜ ଅପକର୍ମକୁ ଘୋଡ଼ାଇବା ପାଇଁ ଓଡ଼ିଶା ବନ୍ଦ ଡ଼ାକରା ଦେଇଥିବା କଂଗ୍ରେସ ଦଳ ଓ ସେହି ଦଳର ନେତାମାନେ ବର୍ତ୍ତମାନ ଆତ୍ମ ସମୀକ୍ଷା କରନ୍ତୁ । କେନ୍ଦ୍ରର ଏଭଳି ଅବିଚାରିତ ନିଷ୍ପତିକୁ ରାଜ୍ୟର ସାଧାରଣ ଜନତାଙ୍କ ସ୍ୱାର୍ଥପାଇଁ ବିରୋଧ କରିବେ ନା କେନ୍ଦ୍ର କଂଗ୍ରେସ ସରକାରଙ୍କ ଏଭଳି ଜନ ବିରୋଧିକୁ ସମର୍ଥନ କରିବେ ।

ଓଡ଼ିଶାବାସୀ ରାଜ୍ୟ କଂଗ୍ରେସର ଆଭିମୁଖ୍ୟ କ’ଣ ଜାଣିବା ପାଇଁ ଅପେକ୍ଷା କରିଛନ୍ତି । ଏଭଳି ଜନ ବିରୋଧି ନିଷ୍ପତି କୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟବାସୀ ଆନ୍ଦୋଳନ ଡ଼ାକରା ଦିଆଯାଇଛି ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version