Site icon Odisha.com

ସରକାର କନ୍ଧମାଳ ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ ଚାହୁଁନାହିଁ : ବିଜେପି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା ଓ ଏହା ପରବର୍ତ୍ତି ହିଂସା କାଣ୍ଡ ତଦନ୍ତ ପାଇଁ ଜଷ୍ଟିସ ଏ.ଏସ ନାଇଡ଼ୁଙ୍କୁ କମିଶନ ଅଧ୍ୟକ୍ଷ ପରେ ସରକାର ଅବସ୍ଥାପିତ କରିଛନ୍ତି ।

ଏଘଟଣା ନେଇ ଭାରତୀୟ ଜନତା ପାଟି ନିଜର ପ୍ରତିକ୍ରୀୟା ପ୍ରକାଶ କରିଛି । ବିଜେପିର ବରିଷ୍ଠନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ସରକାର କନ୍ଧମାଳ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଖୋଲିବାକୁ ଚାହୁଁନାହାଁନ୍ତି ।

ଆଗରୁ ନିଯୁକ୍ତି ପାଇଥିବା କମିଶନଙ୍କ ଅବଧି ଆସନ୍ତା ୧୭ ତାରିଖରେ ସରିଯିବ ତେଣୁ ସରକାର ତରବରିଆ ଭାବେ ଶ୍ରୀ ନାଇଡୁଙ୍କୁ ତଦନ୍ତ ଭାର ଦେଇଛନ୍ତି । ସେ ଆଉଦୁଇଟି ଘଟଣାର ତଦନ୍ତ କରୁଛନ୍ତି ।

ଗ୍ରିନ ଟ୍ରିବ୍ୟୁନାଲର ଦାୟିତ୍ୱରେ ଅଛନ୍ତି । ଜଷ୍ଟିସ ନାଇଡୁ ସମ୍ପ୍ରତି ରାଉରକେଲା ମାଜିଷ୍ଟ୍ରେଟ ମାଡ଼ ଘଟଣାର ତଦନ୍ତ କରୁଛନ୍ତି । ଏଥିପାଇଁ ତାଙ୍କ ଉପରେ ଅଧିକ ଚାପ ପଡିବ । ତେଣୁ ତଦନ୍ତ ପ୍ରକ୍ରୀୟା ସମୟ ସାପେକ୍ଷ ହେବ ।

ଜଷ୍ଟିସ ମହାପାତ୍ରଙ୍କର ଗତ ମେ ୧୨ତାରିଖରେ ପରଲୋକ ହୋଇଯିବାରୁ ତଦନ୍ତ ପ୍ରକ୍ରିୟା ମଝିରେ ଅଟକି ରହିଛି । ସରକାର ଚାହିଁଥିଲେ ଜଷ୍ଟିସ ମହାପାତ୍ରଙ୍କ ମୃତ୍ୟୁର ଏକମାସପରେ ଜଷ୍ଟିସ ନାଇଡୁଙ୍କୁ ନିଯୁକ୍ତି ଦେଇପାରିଥାନ୍ତେ କିନ୍ତୁ ଏଥିରେ ସରକାର ଜାଣିଶୁଣି ଅବହେଳା କରିଛନ୍ତି ବୋଲି ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଜଷ୍ଟିସ ମହାପାତ୍ରଙ୍କର କମିଶନଙ୍କୁ ୫୫୭ଟି ସତ୍ୟପାଠ ମିଳିଥିବାବେଳେ ୬୫ଜଣ ସରକାରୀ ସାକ୍ଷୀଙ୍କ ସହ ୯୯ଜଣ ବେସରକାରୀ ସାକ୍ଷୀ ସେମାନଙ୍କର ସାକ୍ଷ ପ୍ରଦାନ କରିସାରିଛନ୍ତି । ଆଉ ୪୦ଜଣଙ୍କ ସାକ୍ଷ ପ୍ରଦାନ ବାକି ରହିଛି ।

ସୂଚାନା ଯୋଗ୍ୟ କି ୨୦୦୮ ମସିହାରେ କନ୍ଧମାଳର ଜଲେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସହିତ ବାବା ଅମୃତାନନ୍ଦ, ମାତା ଭକ୍ତିମୟୀ, କିଶୋର ବାବା ଓ ପୁରଞ୍ଜନ ଗାଣ୍ଠିଙ୍କୁ ହତ୍ୟା କରାଯାଇଥିଲା ।

ଏହା ପରେ ପରେ ସେଠାରେ ଦଙ୍ଗା ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ଉଭୟ ଘଟଣାର ତଦନ୍ତ ପାଇଁ ସେହିବର୍ଷ ସେପ୍ଟେମ୍ବର ୩ ତାରିଖରେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ନେଇ ଜଣିକିଆ ତଦନ୍ତ କମିଶନ ଗଠନ କରିଥିଲେ ।

ଜଷ୍ଟିସ ମହାପାତ୍ର ଅକ୍ଟୋବର ୩୦ରେ ତଦନ୍ତ ଆରମ୍ଭ କରିଥିଲେ । କମିଶନ ୨୧୩ଟି ସିଟିଂ କରିଥିଲେ ଓ ୨୦୦୯ ଜୁନ ୩୦ତାରିଖରେ ସରକାରଙ୍କୁ ତାଙ୍କର ମଧ୍ୟବର୍ତ୍ତି କାଳୀନ ରିପୋର୍ଟ ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି କମିଶନଙ୍କ କାର୍ଯ୍ୟକାଳ ୮ଥର ବୃଦ୍ଧି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version