Site icon Odisha.com

ଓଡିଶା ଠପ୍: ଜୀବନଯାତ୍ରା ବିପର୍ଯ୍ୟସ୍ତ : ପଶ୍ଚିମ ଓଡ଼ିଶା ବାଦ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍)- ଡିଜେଲ ଦର ବୃଦ୍ଧି, ଜାଳେଣି ଗ୍ୟାସ ସବସିଡି ହ୍ରାସ କରିବା, ଖୁଚୁରା ବ୍ୟବସାୟରେ ବିଶେୀ ପୁଞ୍ଜିକୁ ଅନୁମତି ଦେବା, ନାଲକୋ ଏବଂ ଅଏଲ ଇଣ୍ଡିଆ ଭଳି ଲାଭଦାୟକ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ବିରୋଧରେ ବିଜେପି ନେତୃତ୍ୱାଧୀନ ଏନଡିଏ ସମେତ ସମାଜବାଦୀ ପାର୍ଟି ଓ ବାମଦଳ ପକ୍ଷରୁ ଆଜି ଭାରତବନ୍ଦ ଡାକରା ଦିଆ ଯାଇଥିବା ବେଳେ ଓଡିଶାରେ ଏହି ବନ୍ଦ ଶାନ୍ତିପୂଣ୍ଣ ଭାବରେ ଅନୁଷ୍ଠିତ ହୋଇ ଯାଇଛି ।

ତେବେ ଗଣପର୍ବ ନୂଆଖାଇଥିବାରୁ ଏହି ବନ୍ଦରୁ ପଶ୍ଚିମ ଓଡ଼ିଶାକୁ ଆନ୍ଦୋଳନ କାରୀମାନେ ବାଦ୍ ଦେଇଥିଲେ । ବିଜେପି ସମେତ ୮ଗୋଟି ଦଳ ଏହି ବନ୍ଦ ଡାକରା ଦେଇଥିବାବେଳେ ବ୍ୟବସାୟୀ ସଂଘ ଏବଂ ଟ୍ରକ ମାଲିକ ସଂଘ ମଧ୍ୟ ଏହାକୁ ସମର୍ଥନ ଜଣାଇଥିଲେ ।

ପଶ୍ଚିମ ଓଡ଼ିଶାକୁ ବାଦ୍ ଦେଇ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଗୁଡିକରେ ଦୋକାନ ବଜାର ବନ୍ଦ ରହିଥିଲା । ଓଡ଼ିଶାରେ ବିଜେପି, ସିପିଆଇ, ସିପିଆଇଏମ, ଫରୱାର୍ଡ ବ୍ଲକ, ଆରଜେଡି, ସମାଜବାଦୀପାର୍ଟି ମିଳିତ ଭାବେ ଏହି ବନ୍ଦରେ ସାମିଲ ହୋଇଥିଲେ ।

ଆଜିି ସକାଳ -୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିବାରୁ ସମସ୍ତ ରେଳଚଳାଚଳ ଓ ବସ ଯାତ୍ରା ବନ୍ଦ ରହିଥିଲା । ୧୦ ଟି ଏକ୍ସପ୍ରେସ ସମେତ ୩୫ଟି ପାସେଞ୍ଜର ଟ୍ନେକୁ ବାତିଲ କରା ଯାଇଥିଲା ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ସାଧାରଣତଃ ବନ୍ଦ ରହିଥିବାରୁ ପଶ୍ଚିମ ଓଡ଼ିଶାର ବ୍ୟବସାୟୀମାନେ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି । ତେବେ ସେମାନଙ୍କ କ୍ଷେତ୍ରରେ ବନ୍ଦ ପାଳନ ନେଇ କଟକଣା କରାଯାଇ ନଥିଲା ।

ରାଜ୍ୟରେ ଥିବା ପ୍ରାୟ ୪ ଲକ୍ଷ ପାଇକାରୀ ଓ ଖୁଚୁରା ବ୍ୟବସାୟୀ ଭାରତ ବନ୍ଦକୁ ସମର୍ଥନ ଦେଇଥିବାର ମହାସଂଘ ପକ୍ଷରୁ କୁହାଯାଇଛି । ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖି ପ୍ରତିବାଦ ଜଣାଇଥିଲେ ।

ବନ୍ଦର ସବୁଠୁ ଅଧିକ ପ୍ରଭାବ ପଡ଼ିଥିଲା ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଅନୁଗୁଳ ଆଦି ସହରାଞ୍ଚଳରେ । ଆଜି ପ୍ରତ୍ୟୁଷରୁ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସମବେତ ହେବାପରେ ଅନେକ ସ୍ଥାନରେ ଶୋଭାଯାତ୍ରା ବାହାରିଥିଲା ।

ଭୁବନେଶ୍ୱର ରେଳଷ୍ଟେସନ ପାଖକୁ ଅନେକ ଦଳର ଶୋଭା ଯାତ୍ରା ଯାଇଥିଲା ଏବଂ ସେଠାରେ ରେଳରୋକୋ ଆରମ୍ଭ କରାଯାଇଥିଲା । ଏହାପରେ ଦଳୀୟ କର୍ମୀମାନେ ସହରର ମୁଖ୍ୟରାସ୍ତା ଓ ଛକମାନଙ୍କରେ ସମବେତ ହୋଇି ରାସ୍ତା ଅବରୋଧ କରିବା ସହିତ କେନ୍ଦ୍ର ସରକାର-ବିରୋଧୀ ଧ୍ୱନିମାନ ଦେଇ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ ।

ଏହି ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା ସଂସ୍ଥାଗୁଡ଼ିକୁ ବାଦ୍ ଦିଆଯାଇଥିଲେ ହେଁ ପରିବହନ, ବ୍ୟାଙ୍କ, ସ୍କୁଲ, କଲେଜ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବିଶେଷ ପ୍ରଭାବିତ ହୋଇଥିଲା ।

ଆଜି ନୁଆଖାଇ ଯୋଗୁଁ ରାଜ୍ୟସରକାରୀ ପ୍ତରଗୁଡ଼ିକ ବନ୍ଦ ଥିଲ ମଧ୍ୟ କେନ୍ଦ୍ର ସରକାରଙ୍କ କାର୍ଯ୍ୟଳୟ ଗୁଡିକ ଖୋଲାଥିବାରୁ ଆନ୍ଦୋଳନକାରୀମାନେ ସେଗୁଡିକୁ ବନ୍ଦ କରିଦେଇଥିଲେ । ତେବେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ରାସ୍ତାଗୁଡ଼ିକ ଶୂନଶାନ ହୋଇ ଭ୍ରମ ସୃଷ୍ଟି କରୁଥିଲା ।ଦୁଇଚକିଆ ଯାନଗୁଡ଼ିକ କାଁ ଭାଁ ଯିବାଆସିବା କରୁଥିଲା । ରାଜ୍ୟବ୍ୟାପୀ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା ।

ତେବେ ରାଜ୍ୟର ଛୋଟ ଛୋଟ ସହର ବଜାରଗୁଡ଼ିକରେ ମଧ୍ୟବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା । ଆଜିର ଏହି ବନ୍ଦରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ସାଧାରଣ ଜନତା, ଖଟିଖିଆ,ଦିନ ମଜୁରିଆ, ଉଠାଦୋକାନୀ ଓ ଯାତ୍ରୀ ।

ରାଜ୍ୟର ଘରୋଇ ବସମାଲିକ ସଂଘ, ଅଟୋ ସଂଘ ଏବଂ ଅନ୍ୟାନ୍ୟ ପ୍ରମୁଖ ପରିବହନକାରୀ ବନ୍ଦ ପରିପ୍ରେକ୍ଷୀରେ ଗାଡି ଚଳାଚଳ ବନ୍ଦ ରଖିଥିବାରୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ।

ରାଜ୍ୟର ପ୍ରମୁଖ ବସଷ୍ଟାଣ୍ଡ ବରମୁଣ୍ଡା, ବାଦାମବାଡି, ବ୍ରହ୍ମପୁର, ପୁରୀ, ବାଲେଶ୍ୱର, ଜୟପୁର, ବାରିପଦା, ଅନୁଗୁଳ ଆଦି ଏକପ୍ରକାର ନିସ୍ତବ୍ଧ ହୋଇ ଯାଇଥିବା ବେଳେ ଖୋର୍ଦ୍ଧାରୋଡ଼, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, କଟକ, ବାଲେଶ୍ୱର ଆଦି ରେଳଷ୍ଟେସନ ଓ ଜଙ୍କସନ ମାନଙ୍କରେ ଅନେକ ଯାତ୍ରୀଗାଡ଼ି ଓ ମାଲଗାଡ଼ି ଦୀର୍ଘସମୟ ଧରି ଅଟକି ରହିଥିଲା । ଏହାଫଳରେ ଯାତ୍ରୀ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ।

ବନ୍ଦ ଶାନ୍ତିପୂର୍ଣ୍ଣ ଓ ସମ୍ପୂର୍ଣ୍ଣ ସଫଳ ହୋଇଛି ଓ ଏଥିପ୍ରତି ରାଜ୍ୟବାସୀ ଅକୁଣ୍ଠ ସହଯୋଗ ଯୋଗାଇଛନ୍ତି ବୋଲି ବିଜେପିି ସଭାପତି ଜୁଏଲ ଓରାମ କହିଛନ୍ତି । ଉପାର ଶାସନରେ ଲୋକମାନେ ଅତିଷ୍ଠ ହୋଇପଡ଼ିଥିବା ଏଥିରୁ ଅନୁମିତ ହେଉଛି ବୋଲି ସେ କହିଥିଲେ ।

ବିଜେପି ନେତା ଓ କର୍ମୀମାନେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବନ୍ଦ ପାଳନ କରିଥିଲେ । ଦଳୀୟ କର୍ମୀ ଓ ନେତାମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ବନ୍ଦ କରିଥିଲେ । ରେଳଷ୍ଟେସନରେ ରହି ଟ୍ରେନ ଚଳାଚଳ ମଧ୍ୟ ବନ୍ଦ କରିଥିଲେ ।

ଦଳର ରାଜ୍ୟ ସଭାପତି ଜୁଏଲ ଓରାମ କହିଛନ୍ତି ବନ୍ଦକୁ ସଫଳ କରିବା ପାଇଁ ବ୍ଲକ ଓ ଜିଲାସ୍ତରରେ ଥିବା ସମସ୍ତ କାର୍ଯ୍ୟକତା ର୍ମାନେ ସାମିଲ ହୋଇଥିଲେ । ‘ଭାରତ ବନ୍ଦ’ ଓଡିଶାରେ ଆଜି ମୋଟାମୋଟି ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି ।

ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ଲକ୍ଷ୍ୟ କରାଯାଇଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶହଶହ କର୍ମୀ ଓ ନେତାଙ୍କୁ ପୁଲିସ ଗିରଫକରି ପରେ ଛାଡ଼ିଦେଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version