Site icon Odisha.com

ତୃତୀୟ ନୟନ: ସରକାରୀ ନିର୍ଯ୍ୟାତନାର ଶେଷ କେବେ ?

ପ୍ରଶାନ୍ତ ପଟ୍ଟନାୟକ

ଅହିଂସା ଓ ଶାନ୍ତିର ପ୍ରତୀକ ମହାତ୍ମା ଗାନ୍ଧିଙ୍କ ନାମରେ ନାମିତ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗଟି, ସମ୍ପ୍ରତି ଅଶାନ୍ତି ଓ ଯନ୍ତ୍ରଣାର ମାର୍ଗରେ ପରିଣତ ହୋଇଛି ।

ୟୁନିଟ ୨ ଓ ୟୁନିଟ ୩ ଭଳି ଦୁଇଟି ଜନବସତି ମଧ୍ୟରେ ଅବସ୍ଥିତ । ଏହାର ଉଭୟ ପାଶ୍ୱର୍ରେ ବହୁ ଶିକ୍ଷାନୁଷ୍ଠାନ ବ୍ୟବସାୟିକ ପ୍ରତିଷ୍ଠାନ, ଚିକିତ୍ସାଳୟ ଓ ବାସଗୃହ ରହିଛି । ଏହି ରାସ୍ତାଟି ସଚ୍ଚିବାଳୟ, ବିଧାନସଭା ଅଞ୍ଚଳକୁ ଭୁବନେଶ୍ୱର ରେଳଷ୍ଟେସନ ଓ ଘରୋଇ ବସଷ୍ଟାଣ୍ଡ ସହ ମଧ୍ୟ ସଂଯୁକ୍ତ କରୁଛି ।

ଏହି ରାସ୍ତାଟି ରାଜଧାନୀର ସବୁଠାରୁ ଅଧିକ ଯାନବାହନ ଓ ଜନସାଧାରଣଙ୍କ ଚଳପ୍ରଚଳ ପାଇଁ ବ୍ୟବହୃତ ହୋଇଥାଏ । କିନ୍ତୁ ସରକାରଙ୍କ ଅଦୂରଦର୍ଶିତା ହେତୁ ଏହି ରାସ୍ତାଟି ବିପଦପୂର୍ଣ୍ଣ ହୋଇପଡିବା ସଙ୍ଗେ ସଙ୍ଗେ ଏହାର ଉଭୟ ପାଶ୍ୱର୍ରେ ବସବାସ କରୁଥିବା ଜନସାଧାରଣଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ।

ସଚ୍ଚିବାଳୟ ସମ୍ମୁଖସ୍ଥ ପରେଡ ଗ୍ରାଉଣ୍ଡକୁ ଇନ୍ଦିରା ପାର୍କରେ ପରିଣତ କରାଯାଇ ସେଠାରେ ହେଉଥିବା ସଭା, ସମିତି, ବିକ୍ଷୋଭ ଓ ଧର୍ମଘଟ ସହ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନକୁ ଏହି ମହାତ୍ମା ଗାନ୍ଧୀ ମାର୍ଗକୁ ସ୍ଥାନାନ୍ତରିତ ହେବା ଦିନୁ ଏହି ଅଂଚଳଟି ବିଶେଷ ଭାବରେ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ଅନ୍ୟାନ୍ୟ ବିପଦ ଦ୍ୱାରାସଂକ୍ରମିତ ହୋଇପଡିଛି ।

ଧର୍ମଘଟ ଓ ବିକ୍ଷୋଭ ସମୟରେ ଏହି ରାସ୍ତାରେ ହଜାର ହଜାର ଜନତାଙ୍କ ସମାଗମ ଏବଂ ଦୀର୍ଘ ଘଣ୍ଟାଘଣ୍ଟା ଧରି ପ୍ରଚଣ୍ଡ ଶବ୍ଦ କରୁଥିବା ଡାକବାଜୀ ଯନ୍ତ୍ରର ବ୍ୟବହାର ଯୋଗୁଁ ଏହି ଅଞ୍ଚଳର ବାସିନ୍ଦାମାନଙ୍କର ଶୋଚନୀୟ ଶାନ୍ତି ଭଙ୍ଗ ହେଉଛି । ବିଶେଷକରି ସ୍କୁଲ, କଲେଜ ପଢ଼ୁଆ ଛାତ୍ରଛାତ୍ରୀମାନେ, ରୋଗୀ ଓ ବୁଦ୍ଧିଜୀବୀମାନେ ଏହାଦ୍ୱାରାବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ।

ଏଭଳି ପ୍ରଦୂଷଣ ଘଟାଉଥିବା କାର୍ଯ୍ୟକଳାପକୁ ଏ ଅଞ୍ଚଳରୁ ସ୍ଥାନାନ୍ତରିତ କରିବା ଲାଗି ଦୀର୍ଘ ବର୍ଷ ଧରି ଦାବୀହୋଇଆସୁଥିଲେ ମଧ୍ୟ ସରକାର ତାହାର ପ୍ରତିକାର କରୁନାହାଁନ୍ତି ।

ଏପରିକି ଶବ୍ଦ ଓ ବାୟୁ ପ୍ରଦୂଷଣରୁ ଏହି ଅଂଚଳବାସୀଙ୍କୁ ମୁକ୍ତ କରିବା ଲାଗି ଉପରୋକ୍ତ କାର୍ଯ୍ୟକଳାପମାନ ଏଠାରୁ ସ୍ଥାନାନ୍ତରିତ କରିବା ଲାଗି କିଛି ବର୍ଷ ତଳେ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାର ଶପଥ ପାଠ କରାଇଥିଲେ ଯେ ଏ ସମ୍ପର୍କରେ ସଚେତନ ଥାଇ ଉପଯୁକ୍ତ ସ୍ଥାନକୁ ସଭା ସମିତି ଓ ବିକ୍ଷୋଭର ସ୍ଥାନ ପରିବତର୍ତ୍ତନ ପାଇଁ ସରକାର ପଦକ୍ଷେପ ନେବା ବିଷୟରେ ସଚେତନ ଅଛନ୍ତି ।

ମାତ୍ର ଏଯାବତ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଶବ୍ଦ ପ୍ରଦୂଷଣ ଜନସାଧାରଣଙ୍କର କିଭଳି ଭୟଙ୍କର କ୍ଷତି ଘଟାଏ ସେ ସମ୍ପର୍କରେ ବିଶ୍ୱସ୍ୱାସ୍ଥ୍ୟ ସଂସ୍ଥା ଓ ବିଶିଷ୍ଟ ବୈଜ୍ଞାନିକମାନେ ଉଲ୍ଲେଖ କରିଛନ୍ତି ।

ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଲାଗି ଆମ ଦେଶରେ ପ୍ରଚଳିତ ନିୟମ ଅନୁଯାୟୀ ଜନବସତି ଅଞ୍ଚଳରେ ଦିନବେଳେ ସର୍ବାଧିକ ୫୫ ଡେସିମାଲ ଏବଂ ରାତ୍ରି ସମୟରେ ୪୫ ଡେସିମାଲ ମଧ୍ୟରେ ଶବ୍ଦ ସୀମିତ ରହିବା ଉଚିତ । ମାତ୍ର ମହାତ୍ମା ଗାନ୍ଧୀ ମାର୍ଗରେ ହେଉଥିବା ସଭାସମିତିମାନଙ୍କରେ ଅନେକ ସମୟରେ ୫୦୦ ରୁ ୧୦୦୦ ଡେସିମାଲ ଶବ୍ଦ ଘଣ୍ଟାଘଣ୍ଟା ଧରି ଶୁଣିବାକୁ ମିଳିଥାଏ ।

କାରଣ ଏହାର ଆୟୋଜକମାନେ ଅନେକ ସମୟରେ ଦଶଟିରୁ କୋଡିଏଟି ମେଗାଫୋନ ବ୍ୟବହାର କରିଥାନ୍ତି । ଗୋଟିଏ ମେଗାଫୋନ ଅନ୍ୟୁନ ୯୦ ଡେସିମାଲର ଶବ୍ଦ ସୃଷ୍ଟି କରିଥାଏ ।

ବୈଜ୍ଞାନିକ ଓ ଡାକ୍ତରମାନଙ୍କ ମତରେ କ୍ରମାଗତ ଭାବରେ ୯୦ ଡେସିମାଲ ଶବ୍ଦ ଦୀର୍ଘ ସମୟ ଧରି ଶୁଣିଲେ ଯେ କୌଣସି ଲୋକ ତାହାର ଶ୍ରବଣ ଶକ୍ତି ହରାଇ ବସିଥାଏ ।

ଏହି ଶବ୍ଦ ପ୍ରଦୂଷଣ ସାଙ୍ଗକୁ ବିିଭିନ୍ନ ସମୟରେ ସମବେତ ହେଉଥିବା ହଜାର ହଜାର ନରନାରୀ ଏହି ଅଞ୍ଚଳକୁ ସେମାନଙ୍କର ପରିତ୍ୟକ୍ତ ଖାଦ୍ୟ ସାମଗ୍ରୀ ଏବଂ ଝାଡା, ପରିସ୍ରାରେ ମଧ୍ୟ ପ୍ରଦୂଷିତ କରି ମାରାତ୍ମକ ଭାବରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାନ୍ତି ।

ତେଣୁ ଯଥାଶୀଘ୍ର ସମ୍ଭବ ଏହି ଅଞ୍ଚଳବାସୀଙ୍କୁ ଏଭଳି ଯନ୍ତ୍ରଣା ଦାୟକ ପରିସ୍ଥିତିରୁ ମୁକ୍ତି ଦେବା ଲାଗି ଏହି ସାମ୍ବାଦିକ ୨୦୦୭ ମସିହା ଜୁଲାଇ ୬ ତାରିଖଠାରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀଙ୍କୁ ଅନେକବାର ଲିଖିତ ଭାବରେ ଅନୁରୋଧ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାର ଏହି ଅଞ୍ଚଳର ଜନସାଧାରଣଙ୍କୁ ଏଭଳି ଶୋଚନୀୟ ଅବସ୍ଥାରୁ ମୁକ୍ତି ଦେବା ଦିଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି ।

ଅନେକ ସମୟରେ ବିିଭନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ତରଫରୁ ଏହି ଅଞ୍ଚଳର ରାସ୍ତାକୁ ଦିନ ଦିନ ଧରି ଅବରୋଧ କରାଯାଉଥିବାରୁ ଯାତାୟତରେ ଘୋର ବାଧା ସୃଷ୍ଟି ହେଉଛି । ଏପରିକି ରୋଗୀମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇପାରୁନାହିଁ । ବିକ୍ଷୋଭ ଓ ଧର୍ମଘଟ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ତାହା ଅଞ୍ଚଳବାସୀଙ୍କ ପାଇଁ ବିପଦଜ୍ଜନକ ହୋଇପଡୁଛି ।

ସେପ୍ଟେମ୍ବର ୬ ତାରିଖ ଦିନ ଏହି ଅଞ୍ଚଳରେ ଆୟୋଜିତ କଂଗ୍ରେସ ଦଳର ‘ପରିବତର୍ତ୍ତନ’ ସମାବେଶ ସମୟରେ ଶାନ୍ତି ଭଙ୍ଗ ଓ ହିଂସାକାଣ୍ଡ ଫଳରେ ଅଞ୍ଚଳବାସୀ ଶୋଚନୀୟ ଭାବରେ ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଛନ୍ତି ।

ପୋଲିସ ଦ୍ୱାରା ମରାଯାଇଥିବା ବହୁ ଟିୟର ଗ୍ୟାସ କ୍ୱାର୍ଟର ପରିସର ମଧ୍ୟରେ ପଡିବା ସଙ୍ଗେ ସଙ୍ଗେ ଉଭୟ ବିକ୍ଷୋଭକାରୀ ଓ ପୋଲିସ ବାସିନ୍ଦାମାନଙ୍କ ଗୃହ ପରିସର ମଧ୍ୟକୁ ଅଚାନକ ଭାବରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିବାର ଦୃଷ୍ଟାନ୍ତ ମଧ୍ୟ ବିରଳ ନୁହେଁ ।

କେବଳ ଏହି ସାମ୍ବାଦିକ ନୁହେଁ, ଏ ଅଂଚଳରେ ବସବାସ କରୁଥିବା ବହୁ ସରକାରୀ କର୍ମଚାରୀ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ ଉପେରାକ୍ତ ବିଷୟମାନ ଉଲ୍ଲେଖ କରି ସେମାନଙ୍କୁ ଏଭଳି ଯନ୍ତ୍ରଣାଦାୟକ ପରିବେଶରୁ ମୁକ୍ତ କରିବା ପାଇଁ ବାରମ୍ବାର ଦାବୀଜଣାଇଥିଲେ ମଧ୍ୟ ସରକାର ଆଶ୍ଚର୍ଯ୍ୟଜନକ ଭାବରେ ନିରବ ରହିଛନ୍ତି ।

ଫଳରେ ଦୀର୍ଘଦିନ ଧରି ଏତାଦୃଶ ଅସ୍ୱାସ୍ଥ୍ର୍ୟକର ପରବେଶରେ ରହି ଯନ୍ତ୍ରଣା ଭୋଗୁଥିବା ବହୁ ଶିଶୁ, ମହିଳା ଓ ବରିଷ୍ଠ ନାଗରିକ ଅସୁସ୍ଥ ହୋଇପଡିଥିବାର ପରିଲକ୍ଷିତ ହେଉଛି ।

ଦେଖାଯାଇଛି ଯେ ଏହି ଅଞ୍ଚଳରେ ରହୁଥିବା ବହୁ ବରିଷ୍ଠ ବିଚାରପତି, ଆଇ.ଏ.ଏସ ଏବଂ ବରିଷ୍ଠ ପୋଲିସ ଅଫିସର ଏଭଳି ପରିସ୍ଥିତି ଓ ପରିବେଶ ବିରୁଦ୍ଧରେ ସ୍ୱର ଉତ୍ତୋଳନ ନକରି ସୁବିଧା ଦେଖି ଫରେଷ୍ଟ ପାର୍କ ଓ ଅନ୍ୟାନ୍ୟ ଅଂଚଳ ଭଳି ନିରାପଦ ଓ ପ୍ରଦୂଷଣମୁକ୍ତ ଅଞ୍ଚଳକୁ ବାସଗୃହ ପରିବର୍ତ୍ତନ କରିଦେଉଛନ୍ତି ।

ମାତ୍ର ଯେଉଁମାନେ ଏହି ସୁଯୋଗରୁ ବଞ୍ଚିତ ସେମାନେ ସରକାରଙ୍କ ଦ୍ୱାରା ସୃଷ୍ଟ ଏହି ଯନ୍ତ୍ରଣା ଭୋଗିବା ପାଇଁ ବାଧ୍ୟ ହେଉଛନ୍ତି ।

ଆମର ମୁଖ୍ୟମନ୍ତ୍ରୀ ଜଣେ ପ୍ରକୃତି ଓ ପରିବେଶପ୍ରେମୀ ଏବଂ ଯଥେଷ୍ଟ ସମ୍ବେଦନଶୀଳ ବୋଲି କୁହାଯାଏ । ରାଜଧାନୀର ସୌନ୍ଦର୍ଯ୍ୟ କରଣ ପାଇଁ ସେ ବହୁ ପଦକ୍ଷେପ ନେଉଥିବାର ଦେଖାଯାଏ । ମାତ୍ର ୟୁନିଟ ୨ (ଅଶୋକ ନଗର) ଓ ୟୁନିଟ ୩ (ଖାରବେଳ ନଗର) ଭଳି ରାଜଧାନୀର ସର୍ବପ୍ରାଚୀନ ଜନବସତି ଏବଂ ତାହାର ବାସିନ୍ଦାମାନଙ୍କ ପ୍ରତି ତାଙ୍କର ଉଦାସୀନ ମନୋଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟନିତ କରୁଛି ।

ସେପ୍ଟେମ୍ବର ୮ ତାରିଖ ଦିନର ହିଂସାକାଣ୍ଡ ଓ ଅସ୍ୱାସ୍ଥ୍ୟକର ପରିସ୍ଥିତି ଓ ପରିବେଶକୁ ଦେଖିବା ପରେ ମୁଖ୍ୟମନ୍ତ୍ରୀ, ତୃଙ୍ଗ ଅମଲାତନ୍ତ୍ରୀମାନେ ଓ ତୃଙ୍ଗ ପୋଲିସ ଅଫିସରମାନେ ଏହିଅଞ୍ଚଳବାସୀଙ୍କୁ ଶାନ୍ତି ତଥା ନିରାପଦରେ ବଞ୍ଚିବାଦିଗରେ ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା ।

ମାତ୍ର ଇତିମଧ୍ୟରେ ପ୍ରାୟ ଦୁଇ ସପ୍ତାହ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସରକାର ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଫଳରେ ଅଞ୍ଚଳବାସୀ ପୂର୍ବଭଳି ଶବ୍ଦ ପ୍ରଦୂଷଣ, ପରିବେଶ ପ୍ରଦୂଷଣ ମଧ୍ୟରେ କଲବଲ ହୋଇ ରହିଛନ୍ତି । ଏଭଳି ସରକାରୀ ନିର୍ଯ୍ୟାତନାରୁ ମୁକ୍ତି ପାଇବା ପାଇଁ ଜନସାଧାରଣ ବ୍ୟାକୁଳ ବିକଳ ହୋଇ ସରକାରଙ୍କ ଅନୁକୂଳ ପଦକ୍ଷେପକୁ ଅପେକ୍ଷା କରିରହିଛନ୍ତି କେବଳ ।

ଆଶୋସିଏଟେଡ ମିଡିଆ
କ୍ୱାଟର ନଂ ୫.ଆର.ଏଫ/୫
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୯
ଫୋନ-୯୪୩୭୦୦୫୧୧୮

Exit mobile version