Site icon Odisha.com

ଆଇଏଏସ, ଓଏଏସ ଅଫିସର ସ୍ତରରେ ଅଦଳବଦଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) –ରାଜ୍ୟ ସରକାର ଆଇଏଏସ ଏବଂ ଓଏଏସ ଅଫିସର ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରି ଗୃହ ବିଭାଗ ଅତିରିକ୍ତ ସଚିବ କାହ୍ନୁ ଚରଣ ଷଡ଼ଙ୍ଗୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଏବଂ ପ୍ରମୋଦ କୁମାର ପଣ୍ଡାଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରିଛନ୍ତି ।

କଟକ ମହାନଗର ନିଗମ କମିଶନର ଡ଼ି.ଭି.ସ୍ୱାମୀଙ୍କୁ କ୍ରୀଡ଼ା ନିର୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ତାଙ୍କୁ ଏନଆରଏଲଏମର ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ହରିବଲ୍ଲଭ ମିଶ୍ରଙ୍କୁ କଟକ ମହାନଗର ନିଗମ କମିଶନର ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଓକାକର ମୁଖ୍ୟ ପରିଚାଳକ ମନୋଜ ପଟ୍ଟନାୟକଙ୍କୁ ଭୁବନେଶ୍ୱରର ଅତିରିକ୍ତ ଜିଲାପାଳ ପଦକୁ ବଦଳି କରାଯାଇଛି ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଆଇ.ଶ୍ରୀନିବାସ ପ୍ରଶିକ୍ଷଣ ପାଇଁ ଯାଉଛନ୍ତି । ଗ୍ରୀଡ଼କୋ ଏବଂ ଓପିଟିସିଏଲର ଅଧ୍ୟକ୍ଷ ଦେଓ ରଞ୍ଜନ କୁମାର ସିଂହଙ୍କୁ ଏହି ବିଭାଗର ଅତିରିକ୍ତ ଦଦାୟିତ୍ୱ ଦିଆଯାଇଛି ।

ଗୃହ ବିଭାଗ ଅତିରିକ୍ତ ସଚିବ ଗୁରୁପ୍ରସାଦ ମିଶ୍ରଙ୍କୁ ସୂଚନା କମିଶନଙ୍କ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅର୍ଥ ବିଭାଗ ଅତିରିକ୍ତ ସଚିବ ପି.କେ. ସେନାପତିଙ୍କୁ ଇଷ୍ଟେଟ ନିର୍ଦେଶକ, ନୟାଗଡ଼ ଡ଼ିଆରଡ଼ିଏର ପ୍ରକଳ୍ପ ନିର୍ଦେଶକ ବରିଷ୍ଠ ଓଏଏସ ଅଫିସର ଦେବେନ୍ଦ୍ର ପ୍ରସାଦ ଦାସଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version