Site icon Odisha.com

କନ୍ଧମାଳରେ ପୋଲିସଙ୍କୁ ଆଉ ଏକ ସଫଳତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଫୁଲବାଣୀ,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – କନ୍ଧମାଳରେ ମାଓବାଦୀଙ୍କ ବଡ଼ଧରଣର ବିସ୍ଫୋରଣ ଯୋଜନା ପଣ୍ଡ ହେବା ସହ ୩୪ ପ୍ରକାର ବିସ୍ଫୋରକ ଜବତ କରା ଯାଇଛି ବୋଲି ଜିଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୨୦ କିଲୋଗ୍ରାମର ଗୋଟିଏ, ୧୦ କିଲୋଗ୍ରାମର ଗୋଟିଏ, ୫ କିଲୋଗ୍ରାମର ଗୋଟିଏ, ୨ କି.ଗ୍ରାର ୧୦ଟି ଏବଂ ୧ କି.ଗ୍ରାର ୬ଟି ବିସ୍ଫୋରକ ଜବତ କରାଯାଇଛି । ଏହି ସବୁ ଅତ୍ୟାଧୁନିକ ଯାନ୍ତ୍ରିକ ବିସ୍ଫୋରକ ସାମଗ୍ରୀ ଏବଂ ସମସ୍ତ ବିସ୍ଫୋରକ ପୃଥକପୃଥକ ଭାବେ ଷ୍ଟିଲ ବକ୍ସରେ ରଖାଯାଇଥିଲା ।

ସେହିପରି ସାବୁନ ଖୋଳ ବୋମା ୪୦୦ ଗ୍ରାମର ୮ଟି, ହେଣ୍ଡ ଗ୍ରେନେଡ଼, ଡିଟୋନେଟର ୨୦ଟି, ୧୦ ରିମ ବିଦ୍ୟୂତ ତାର ଏବଂ ଏକ ବଡ଼ ପଲିଥିନ ଜବତ କରାଯାଇଛି । ଜବତ ହୋଇଥିବା ଦୁଇ କି.ଗ୍ରାର ୧୦ଟି ବୋମା ମଧ୍ୟରେ କେବଳ ଏକମାତ୍ର ବୋମା ଏକ ମଧ୍ୟମ ଧରଣର ଗାଡ଼ି ଧ୍ୱଂସ କରି ଦେଇପାରିବ ବୋଲି କୁହାଯାଇଥିଲା ।

ଘଟଣାସ୍ଥଳରେ କିଛି ବିସ୍ଫୋରକ ସାମଗ୍ରୀକୁ ବୋମା ନିଷ୍କ୍ରିୟକାରୀ ଦଳ ନଷ୍ଟ କରି ଦେଇଛନ୍ତି । କନ୍ଧମାଳ ଜିଲା କୋଟଗଡ଼ ଅଞ୍ଚଳରେ କମ୍ବିଂ ଅପରେସନ ବେଳେ ଏହି ଦ୍ରବ୍ୟ ଜବତ ହୋଇଛି ।

କୋଟଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସାଇତି ରଖି ହିଂସା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ଜୟନାରାୟଣ ପଙ୍କଜ କୌଣସି ସୂତ୍ରରୁ ଖବର ପାଇଥିଲେ ।

ଏହାପରେ ଏସଓଜି ଏବଂ ଅଷ୍ଟମ ବାଟାଲିୟନ ଯବାନମାନେ ମାଓ କ୍ୟାମ୍ପ ସନ୍ଧାନରେ ବାହାରିଥିଲେ । ଶ୍ରୀରାମପୁର ଜଙ୍ଗଲ ମଧ୍ୟରେ ଥିବା ଏକ ଖାତରେ ଏକ ପଲିଥିନ ଘୋଡ଼ା ହୋଇ କିଛି ସାମଗ୍ରୀ ଥିବା ସେମାନଙ୍କ ନଜରରେ ପଡ଼ିଥିଲା । ପରେ ବୋମା ନିଷ୍କି୍ରୟକାରୀ ଦଳ ସହାୟତାରେ ସମସ୍ତ ବିସ୍ଫୋରକ ଜବତ କରାଯାଇଥିଲା ।

ଏହି ଆକଳନ ଅନୁଯାୟୀ ଜବତ ହୋଇଥିବା ସମସ୍ତ ବିସ୍ଫୋରକ କେତେ ଭୟଙ୍କର ହୋଇପାରିଥାନ୍ତା ତାହା ଅନୁମେୟ ।

ଓଡ଼ିଶା ଡ଼ଟ୍ କମ୍

Exit mobile version