Site icon Odisha.com

ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାଉପରେ ଗୁରୁତ୍ୱ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍)-କେ.ବି.କେ ତଥା ଅନ୍ୟ ଆଦିବାସୀ ଜିଲ୍ଲାମାନଙ୍କରେ ଜଳସେଚନ ସୁବିଧାର ସଂପ୍ରସାରଣ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ସନ୍ଧ୍ୟାରେ ସଚିବାଳୟରେ ପଟ୍ଟନାୟକ କେ.ବି.କେ, କନ୍ଧମାଳ, ଗଜପତି, ସୁନ୍ଦରଗଡ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହିତ ସେମାନଙ୍କ ଜିଳ୍ଲାରେ ଜଳସେଚନ ବ୍ୟବସ୍ଥାର ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ଉପରୋକ୍ତ ଜିଲ୍ଲାମାନଙ୍କରେ ଥିବା ଜଳସେଚନ ସମ୍ଭାବନାର ଉପଯୋଗ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଚେକ୍ଡ୍ୟାମ, ଡିପ୍ ବୋରୱେଲ ତଥା ବୃହତ୍ ଉଠାଜଳସେଚନ ଯୋଜନାର କାର୍ଯ୍ୟକାରୀତା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୃଷି ତଥା ଉଦ୍ୟାନ କୃଷିର ବିକାଶ ପାଇଁ ସେହି ସବୁ ଅଞ୍ଚଳରେ ଏହା ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ । ଏଥିପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ ସହିତ ଅଗ୍ରଗତି ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଉପରୋକ୍ତ ଜଳସେଚନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ଜିଲ୍ଲାସ୍ତରରେ ଏସ୍.ପି , ଏମ୍.ଏଲ୍.ଏ ମାନଙ୍କୁ ନେଇ ଏକ କମିଟି ଗଠନ କରି ପ୍ରତି ତିନିମାସରେ ଅଗ୍ରଗତିର ସମୀକ୍ଷା କରିବାପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏତଦ୍ୱ୍ୟତୀତ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଗୁଡିକର ମରାମତି ଓ ପୁନରୁଦ୍ଧାର କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା ।

ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତତୀକ କାର୍ଯ୍ୟ ଆଗାମୀ ଦୁଇମାସ ମଧ୍ୟରେ ଶେଷ କରିବା ସହିତ ପାଣି ପଞ୍ଚାୟତ ଜରିଆରେ ଏହାର ପରିଚାଳନା ଏବଂ ସେଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଯୁବକ ମାନଙ୍କୁ ନିକଟସ୍ଥ ଆଇ.ଟି.ଆଇ ଓ ଆଇ.ଟି.ସି ରେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା କରିବା ପାଇଁ ମଧ୍ୟ ବୈଠକରେ ସ୍ଥିର କରାଯାଇଥିଲା ।

୩୫ ଭାଗରୁ କମ୍ ଜଳସେଚନ ସୁବିଧାଥିବା ବ୍ଲକ୍ ମାନଙ୍କୁ ପ୍ରାଥମିକତା ଦେବାପାଇଁ ସ୍ଥିର ହୋଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ଓ ଜଳସେଚନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version