କୋମାରେ ସମାଜବାଦ, ବଞ୍ଚେଇବାକୁ ହେଲେ ସେବା ଆବଶ୍ୟକ:ମତ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) –ଗତ ୮୦ ଦଶକର ଶେଷ ଭାଗରେ ସମାଜବାଦକୁ ନୀରବରେ ‘କବର’ ଭିତରକୁ ଠେଲି ଦିଆ ଯାଇଛିି ବୋଲି ଯାହା କୁହାଯାଉଛି, ତାହା ଠିକ ନୁହେଁ । ସମାଜବାଦର ମୃତ୍ୟୁ ନାହିଁ । ବରଂ ସମାଜବାଦ ଏବେ ‘କୋମା’ରେ ଅଛି ବୋଲି କୁହାଯାଇପାରେ ।

ଉପଯୁକ୍ତ ସେବା ପାଇଲେ ସେ ପୁଣି ସଳଖି ଠିଆ ହୋଇପାରିବ । ଆଜିର ମୁଖ୍ୟଧାରା ଗଣମାଧ୍ୟମରୁ କେବେବି ସେପରି ସେବା ଆଶା କରାଯାଇ ନ ପାରେ । ଆଜିକାଲି ସମ୍ବାଦ ଗଣମାଧ୍ୟମର ଉତ୍ପାଦନ ନୁହେଁ । ବରଂ, ପାଠକ, ଦର୍ଶକମାନେ ବିଞ୍ଜାପନଦାତାଙ୍କ ପାଇଁ ପଣ୍ୟଦ୍ରବ୍ୟରେ ପରିଣତ ହୋଇଛନ୍ତି ।

ପ୍ରଗତିଶୀଳ ଓଡ଼ିଆ ସମ୍ବାଦ ପତ୍ରିକା ‘ଜନତନ୍ତ୍ର’ବାର୍ଷିକ ଉତ୍ସବରେ ଅନୁଷ୍ଠିତ ଆଜିର ପରିସ୍ଥିତିରେ ସମାଜବାଦକୁ ବିକଳ୍ପ ରୂପେ ଆଗକୁ ଆଣିବାରେ ଗଣମାଧ୍ୟମ ବିତର୍କ ଆରମ୍ଭ କରି ପାରିବ କି?‛- ଶୀର୍ଷକ ଆଲୋଚନାରେ ଉପରୋକ୍ତ ମତ ପ୍ରକାଶ ପାଇଛି ।

ମୁଖ୍ୟଅତିଥି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରଳୟ କାନୁନ୍ଗୋ କହିଲେ -ସମାଜବାଦ କେବେ ମରିପାରେନା । ରୋଗଗ୍ରସ୍ତ ହୋଇ ମୁମୁର୍ଷ (କୋମା) ଅବସ୍ଥାରେ ଶଯ୍ୟାଶାୟୀ । ସେବା ଶୁଶ୍ରୁଷା ଟିକେ ପାଇଲେ ସେ ପୁଣି ଉଠିବ ।

ବର୍ତମାନ ବିଶ୍ୱରେ ବିଭିନ୍ନ ସ୍ଥାନରେ ବିଶେଷତଃ, ପୁଞ୍ଜିବାଦୀ ରାଷ୍ଟ୍ର ଆମେରିକାରେ ‘ୱାଲ୍ଷ୍ଟ୍ରିଟ ଦଖଲ କର’ ଅଭିଯାନ ଦର୍ଶାଉଛି ଯେ ସମାଜବାଦ ପାଇଁ ପୁଣି ଏକ ଅନୁକୂଳ ପରିବେଶ ସୃଷ୍ଟି ହେଉଛି ।

ଏ କଥା ସତ ଯେ, ଅତି ଚତୁରତାର ସହିତ ପୁଞ୍ଜିବାଦ ତା ପ୍ରତି ସମ୍ଭାବ୍ୟ ବିପଦକୁ ଟାଳିଦେଇ ପାରୁଛି । ପୁଞ୍ଜିିବାଦର ଚତୁର ଆଚରଣ ପ୍ରତି ଦୃଷ୍ଟି ଆକର୍ଷଣ କରି ସେ କହିଲେ ଯେ ନିରୋଳା ସମାଜବାଦର ପ୍ରତିଷ୍ଠାକୁ ବାଧାଦେବା ପାଇଁ ବିଶ୍ୱ ପୁଞ୍ଜିବାଦ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରେ ।

ପୁଞ୍ଜିିବାଦ ଭିତରେ ବି ସମାଜବାଦର ଲକ୍ଷ୍ୟରେ ପହଞ୍ଚିବା ସମ୍ଭବ ବୋଲି,ଏକ ଭ୍ରମ ସୃଷ୍ଟି କରେ । ସେ ଦୃଷ୍ଟାନ୍ତ ଦେଇ କହିଲେ ଯେ ପ୍ରସ୍ତାବିତ ଗ୍ଳୋବାଲ ସୋସିଆଲ ଡେମୋକ୍ରାସି ଏହିପରି ଏକ କୌଶଳ ।

ସମାଜବାଦକୁ କେନ୍ଦ୍ରୀୟ ଆଦର୍ଶ କରି ଗଢ଼ି ଉଠୁଥିବା ସଂଗଠନ ଭିତରେ ନିଷ୍ପତି ପ୍ରକ୍ରିୟାର ବିକେନ୍ଦ୍ରୀକରଣ ଉପରେ କାନୁନଗୋ ଗୁରୁତ୍ୱ ଦେଇଥିଲେ । ସମାଜବାଦ ଆଦର୍ଶରେ ବିଶ୍ୱାସ କରୁଥିବା କରୁଥିବା ବ୍ୟକ୍ତିଙ୍କ ଭିତରେ ସମ୍ପତି ଠୁଳୀକରଣ ମାନସିକତା ଦେଖାଦେଲେ- ସମାଜବାଦର ପ୍ରତିଷ୍ଠା ଅସମ୍ଭବ ହୋଇପଡ଼ିବ ।

ସମାଜବାଦରେ ବିଶ୍ୱାସ କରୁଥିବା ଲୋକେ ପ୍ରଥମେ ସେମାନଙ୍କ ଜୀବନରେ ଆଚରଣରେ ସମାଜବାଦୀ ହେବା ଦରକାର । ସମାଜବାଦ ବଂଚିଲେ ତ ଗଣମାଧ୍ୟମରେ ଆଲୋଚନା ପ୍ରୋତ୍ସାହନ ପାଇବ କି ନାହିଁ ସେ ପ୍ରଶ୍ନ ଉଠିବ!

ତେଣୁ ସମାଜବାଦକୁ ବଞ୍ଚାଇ ରଖିବାର ଉଦ୍ୟମ ଅବ୍ୟାହତ ରହିବା ଦରକାର । ସମାଜବାଦୀ ଆନ୍ଦୋଳନରେ ଅଧିକରୁ ଅଧିକ ଲୋକଙ୍କର ଅଂଶଗ୍ରହଣକୁ ନିଶ୍ଚିିତ କରାଯିବା ଦରକାର ବୋଲି ପ୍ରଫେସର କାନୁନଗୋ କହିଥିଲେ ।

ମୁଖ୍ୟ ବକ୍ତା ଡ. ବୀରେନ୍ଦ୍ର ନାୟକ ନିଜର ମତ ଦେଇ କହିଲେ ଯେ ଆଜିକାର ମୁଖ୍ୟଧାରା ଗଣମାଧ୍ୟମରୁ ଏପରି ଆଶା ଏକ ବ୍ୟର୍ଥ ପ୍ରତ୍ୟାଶା । ଆଜିକାର ଗଣମାଧ୍ୟମର ସ୍ୱରୂପ ଓ ଚରିତ୍ର ଯାହା-ସେଠାରେ ସମାଜବାଦ ଉପରେ ଆଲୋଚନା ପ୍ରୋତ୍ସାହନ ପାଇବା ସମ୍ଭବ ନୁହେଁ ।

ଆଜିକାର ବିଜ୍ଞାପନ ସର୍ବସ୍ୱ ଗଣମାଧ୍ୟମରେ ବିଜ୍ଞାପନ ଦାତା ଅର୍ଥାତ୍ ବଡ଼ ବଡ଼ କମ୍ପାନୀମାନେ ହିଁ ପରୋକ୍ଷ ଭାବେ ନିୟନ୍ତ୍ରଣ କରିଥାନ୍ତି ସମ୍ବାଦର ପ୍ରକାଶନ । ଯେଉଁ ସମ୍ବାଦ ବା ଆଲୋଚନା ବିଜ୍ଞାପନ ଦାତାଙ୍କର ସ୍ୱାର୍ଥ ପ୍ରତି ବିପଦ ସୃଷ୍ଟି କରେ ସେ ପ୍ରକାର ସମ୍ବାଦ ପ୍ରକାଶ ନ ପାଉଥିବାର କେତୋଟି ଉଦାହରଣ ଦେଇ ଦର୍ଶାଇଥିଲେ ।

ପୁଞ୍ଜିବାଦୀ ବ୍ୟବସ୍ଥାର ହାତବାରିସୀ ହୋଇଥିବା ଗଣମାଧ୍ୟମରେ ସମାଜବାଦ ପ୍ରୋସôାହିତ ହେବା ଅସମ୍ଭବ ବୋଲି ସେ କହିଥିଲେ । ମୁକ୍ତ ବଜାର ଅର୍ଥନୀତିର ପରିବେଶରେ କ୍ରେତା ସୃଷ୍ଟି ହିଁ ଆଜିକାର ଗଣମାଧ୍ୟମର ମୁଖ୍ୟ ଉଦେ୍ଧଶ୍ୟ ।

ତେଣୁ ଆଜିକାର ଗଣମାଧ୍ୟମ ସମାଜବାଦର ଆଲୋଚନାକୁ କଦାପି ପ୍ରୋସôାହିତ କରିବ ନାହିଁ । ସେ ଐତିହାସିକ ଦୃଷ୍ଟାନ୍ତ ଦେଇ କହିଲେ ଯେ ଏକଦା ଶ୍ରମିକମାନଙ୍କୁ ସଂଗଠିତ କରି ସମାଜରେ ଏକ ବୈପ୍ଳବିକ ପରିବତ•ର୍ନ ଆଣିବାର ସମ୍ଭାବନା ଯାହା ଗଣମାଧ୍ୟମ ବିଲାତ ଦେଶରେ ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ସୃଷ୍ଟି କରିଥିଲା, ତାହାକୁ ତତ୍କାଳୀନ ଶାସକ ଶ୍ରେଣୀ ବିଭିନ୍ନ ପ୍ରକାର କଟକଣା ଜରିଆରେ ବିକଳାଙ୍ଗ କରିଦେଲା ।

କ୍ରମଶଃ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ପ୍ରକାଶନକୁ ଖର୍ଚ୍ଚବହୁଳ କରିଦେଲେ । ଯାହା ଫଳରେ ଏହିଭଳି ପ୍ରକାଶନ ଗୁଡ଼ିକ କ୍ରମଶଃ ବନ୍ଦ ହେଲା । ସେ ବିଶିଷ୍ଟ ଚିନ୍ତା ନାୟକ ନୋମ ଚୌମ୍ସ୍କିିଙ୍କ ବକ୍ତବ୍ୟ ଉଦ୍ଧାର କରି କହିଲେ ଯେ ଆଜିର ଗଣମାଧ୍ୟମର ଆଦର୍ଶ ଯେତେବେଳେ ସାମ୍ୟବାଦ ବିରୋଧୀ ସେତେବେଳେ ସମାଜବାଦର ଆଲୋଚନା ଆଜିକାର ଗଣମାଧ୍ୟମରେ ଆଶା କରିବା ବୃଥା ।

ଆମେରିକାର ଗଣମାଧ୍ୟରେ ସମାଜବାଦ ଏକ ବର୍ଜନୀୟ ଶବ୍ଦ । ଭାରତ ଆଜି ଯେତେବେଳେ ଆମେରିକାର ଅନୁଗତ ରାଷ୍ଟ୍ର ସେତେବେଳେ ଏ ପ୍ରକାର ଗଣମାଧ୍ୟମ ଆମେରୀକୀୟ ଗଣମାଧ୍ୟମଠାରୁ ଅନ୍ୟଥା ବା କହିଁକି ହେବ?

ତେଣୁ ଆଜିକାର ଗଣମାଧ୍ୟମ କଦାପି ସମାଜବାଦର ଆଲୋଚନାକୁ ପ୍ରୋତ୍ସାହିତ କରିବ ନାହିଁ ବୋଲି ଡ. ନାୟକ ପ୍ରତିପାଦନ କରିଥିଲେ ଏବଂ କେବଳ ଛୋଟ ଛୋଟ ପତ୍ରିକା ହିଁ ଏହା କରିପାରିବ ବୋଲି ମତ ଦେଇଥିଲେ ।

ପ୍ରଫେସର ନୀଳମଣି ସାହୁ କହିଲେ, ସମାଜବାଦୀ ଆନ୍ଦୋଳନରେ ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କଲେ ଆଜିକାର ଗଣମାଧ୍ୟମ ତାହାକୁ କେବେ ଅଣଦେଖା କରିପାରିବ ନାହିଁ । ଉଚ୍ଚାରଣ ଅପେକ୍ଷା ଆଚରଣ ଉପରେ ଗୁରୁତ୍ୱ ଆରୋପ ମଧ୍ୟ କରିଥିଲେ ।

ପ୍ରଥମେ ଜନତନ୍ତ୍ର ସମ୍ପାଦକ ବିବେକାନନ୍ଦ ଦାଶ ଆଲୋଚନା ଆରମ୍ଭ କରି କହିଲେ, ଭାରତର ଦୁଇ ମୁଖ୍ୟ ଦଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ସମାଜବାଦ ପ୍ରତି ଅଙ୍ଗୀକାରବଦ୍ଧ ବୋଲି ଘୋଷଣା କରିଛନ୍ତି ।

ଆମ ସମ୍ବିଧାନ ବି ମୁଖବନ୍ଧରେ କହିଛି ଯେ, ଭାରତ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର । ଅଥଚ, ସମାଜବାଦକୁ ନୀରବରେ କବର ଦିଆ ହୋଇଯାଇଛି ।

ସଭାରେ ଅଧ୍ୟକ୍ଷତାକରି କାର୍ଯ୍ୟନିର୍ବାହୀ ସମ୍ପାଦକ ବାସୁଦେବ ମହାପାତ୍ର କହିଲେ, କପୋରେଟ ସିଟିଜେନସିପ ନାମରେ କର୍ପୋରେଟ ହାଉସ ବ୍ୟକ୍ତି ଓ ମାନବିକ ଅଧିକାରକୁ କବଜା କରିବା ଆରମ୍ଭ କରିଛନ୍ତି । ତେବେ, ଗଣମାଧ୍ୟମ ନୈତିକତା ଓ ଦାୟିତ୍ୱବୋଧ ବଜାୟ ରଖି କାମକଲେ ହୁଏତ ଏଭଳି ଆଲୋଚନାର ଆବଶ୍ୟକତା ରହିବନାହିଁ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ:
Related Post

This website uses cookies.

Read More