Site icon Odisha.com

୨୦୧୭ ସୁଦ୍ଧା ଭୂମିହୀନ ଆଦିବାସୀ ପରିବାରକୁ ଜମି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍)ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଉପଦେଷ୍ଟା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୩,୦୯୦ ଭୂମିହୀନ ଆଦିବାସୀ ପରିବାରକୁ ୧୪୬୫ ଏକର ଗୃହପଯୋଗୀ ଜମି ଯୋଗାଇ ଦିଆଯାଇଛି ।
ରାଜ୍ୟର ଆଦିବାସୀ ଉପଯୋଜନା ଅଂଚଳର ସମସ୍ତ ୧୯,୦୧୬ ଟି ଗାଁର ଭୂମିହୀନ ଆଦିବାସୀ ପରିବାରକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବାସପଯୋଗୀ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହା ଦ୍ୱାରା୨୦୧୬-୧୭ ମଧ୍ୟରେ ଟି ଏସ ପି ଅଞ୍ଚଳର କୌଣସି ଆଦିବାସୀ ପରିବାର ଭୂମିହୀନ ରହିବେ ନାହିଁ ବୋଲି ଆଶା କରାଯାଉଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ଆଦିବାସୀ ପୁଅ ଝିଅଙ୍କ ଶିକ୍ଷାର ସୁବିଧା ପାଇଁ ୨୦୦୦ଟି ୧୦୦ସିଟ ବିଶିଷ୍ଟ ହଷ୍ଟେଲ ନିର୍ମାଣ କରାଯାଇଛି ଏବଂ ଆଉ ୧୪୦୦ଟି ହଷ୍ଟେଲ ନିର୍ମାଣାଧୀନ ରହିଛି ।

ସେହିପରି ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ୩,୧୭,୩୪୬ ବ୍ୟକ୍ତି ବିଶେଷଙ୍କୁ ଏବଂ ୯୪୮ ଗୋଷ୍ଟୀ ବିଶେଷଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ଦିଆଯାଇଛି ।

ରାଜ୍ୟର ୬ଟି ଜିଲ୍ଲା – କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସୁନ୍ଦରଗଡ ଓ ମୟୁରଭଞ୍ଜ ରେ ୬ଟି ନୁଆ ବିଇଡି କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ ବର୍ତମାନ ସୁଦ୍ଧା ୨୨୭ଟି ବ୍ଲକରେ ଆଇନ ସହାୟକ ନିଯୁକ୍ତି ଦିଆଯାଇଛି ଏବଂ ପ୍ରତ୍ୟେକ ଆଦିବାସୀ ଉପଯୋଜନା ବ୍ଲକରେ ୨ଟି ଲେଖାଏଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ମୋବାଇଲ ହେଲ୍ଥ ଇଉନିଟ କାର୍ଯ୍ୟ କରାଯାଇଛି ।

ଏହି ବୈଠକରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଲାଲ ବିହାରୀ ହିମିରୀକା, ସଦସ୍ୟ ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

Exit mobile version