Site icon Odisha.com

ଏଡସ୍ ରାଜ୍ୟ ପରିଷଦ ବୈଠକ: ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) –ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଏଡସ୍ ହାର ଯଦିଓ କମ୍ ରହିଛି କିନ୍ତୁ ଏହା ଅତ୍ୟଧିକ ସ୍ପର୍ଶକାତର ବୋଲି କୁହାଯାଉଛି ।

ଏହି ପରିପ୍ରେକ୍ଷୀରେ ଏଡସ୍ର ଭୟାବହତା ସଂପର୍କରେ କେବଳ ଅତ୍ୟଧିକ ଆକ୍ରାନ୍ତ ଅଞ୍ଚଳ ଭାବେ ଚିହ୍ନିତ ଅଞ୍ଚଳରେ ନୁହେଁ ସମଗ୍ର ରାଜ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ପରାମର୍ଶ ଦେଇଛନ୍ତି ।

ଆଜି ସଚିବାଳୟ ଠାରେ ଅନୁଷ୍ଠିତ ଏଡସ୍ ରାଜ୍ୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ରାଉତ ଏହି ପରାମର୍ଶ ଦେଇଛନ୍ତି । ଏଡସ୍ ନିୟନ୍ତ୍ରଣ ପାଇଁ ଗ୍ରହଣ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ନିଷ୍ଠାପର ଆନ୍ତରିକ ଉଦ୍ୟମ ହେବା ଦରକାର ।

ପ୍ରକାଶ ଥାଉକି ରାଜ୍ୟରେ ୨୦୧୧-୧୨ ବର୍ଷ ସୁଦ୍ଧା ମୋଟ ୨୬୧୨୭ ଜଣ ଏଚ୍.ଆଇ.ଭି ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬୯ ଜଣ ଏଡସ୍ ଆକ୍ରାନ୍ତ । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୩୪୭ ଜଣଙ୍କର ଏଡସ୍ରେ ମୃତ୍ୟୁ ଘଟିଛି ।

ତେବେ ଏଡସ୍ ନିୟନ୍ତ୍ରଣ ପାଇଁ ୧୯୩ ଟି ଆଇ.ସି.ଟି.ସି କେନ୍ଦ୍ର ଥିବା ବେଳେ ସେଥିରୁ ୧୦୫ ଟି ୨୪ ଘଣ୍ଟିଆ କାର୍ଯ୍ୟ କରୁଛି । ୯ଟି ଏ.ଆର୍.ଟି କେନ୍ଦ୍ର ଏବଂ ୨୫ ଟି ଲିଙ୍କ୍ ଏ.ଆର୍.ଟି କେନ୍ଦ୍ର ଏବଂ ୨୫ ଟି ଏସ୍.ଟି.ଆଇ କ୍ଲିନିକ୍ ରହିଛି । ପିପିପି ମୋଡରେ ମଧ୍ୟ ୨୩୪ ଟି ଏସ୍.ଟି.ଆଇ କ୍ଲିନିକ୍ କାର୍ଯ୍ୟକରୁଛି ।

ଏଡସ୍ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୨ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ୧୬୨୯୩ ଜଣଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯାଇଥିବା ବେଳେ ମୋ କୁଡିଆ ଯୋଜନାରେ ୪୭ ଜଣ, ଅନ୍ତୋଦୟ ଅନ୍ନ ଯୋଜନାରେ ୧୭୮ ଏବଂ ରେସନ ନିଅନ୍ତୁରେ ୩୨୭ ଜଣ ଉପକୃତ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଥିବା ୨୬୧୨୭ ଏଡସ୍ ଆକ୍ରାନ୍ତଙ୍କ ସଂପର୍କରେ ନିୟମିତ ତଥ୍ୟ ରଖାଯାଉଛି ।

ରାଜ୍ୟରେ ପ୍ରତି ବର୍ଷ ଏଡସ୍ ଆକ୍ରାନ୍ତଙ୍କ ହାର ବୃଦ୍ଧି ପାଉଥିବାରୁ ତାକୁ ରୋକିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏଡସ୍ ଆକ୍ରାନ୍ତଙ୍କ ପାଇଁ ରହିଥିବା ସାମାଜିକ ପ୍ରତିବନ୍ଧତାକୁ ଦୁର କରିବା ଦିଗରେ ମଧ୍ୟ ଉଦ୍ୟମ ହେବା ଜରୁରୀ । ରାଜ୍ୟକୁ ଏଡସ୍ ମୁକ୍ତ କରାଇବା ଦିଗରେ ସମ୍ମିଳିତ ନିଷ୍ଠାପର ଉଦ୍ୟମ କରାଯିବା ପାଇଁ ନିଷ୍ପତ୍ତି ଗ୍ରକହଣ କରାଯାଇଛି ।

ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ଏଡସ୍ ନିୟନ୍ତ୍ରଣ ସମିତି ପ୍ରକଳ୍ପ ନିଦେ୍ର୍ଧଶକ ଡାଃ ପ୍ରମୋଦ ମେହେର୍ଦ୍ଧାଙ୍କ ସମେତ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version