Site icon Odisha.com

କୋରାପୁଟରେ ପଶୁଧନ ବିକାଶ ପ୍ରକଳ୍ପର ଶୁଭାରମ୍ଭ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୫ (ଓଡ଼ିଶା ଡ଼ଟ୍ କମ୍) –ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପଶୁଧନ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

ଏହି ପ୍ରକଳ୍ପରେ ଉନ୍ନତ ମାନର ଶଙ୍କର ଜାତୀୟ ଗୋଧନର ବିକାଶ ପାଇଁ ପଦକ୍ଷେପ ନିଆଯିବ ।

କୋରାପୁଟର ଓଏସଏପି ପଡିଆ ଠାରେ ଏହି ପ୍ରକଳ୍ପ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏହି ପ୍ରକଳ୍ପରେ ରାଜ୍ୟର ୧୩ଟି ଜିଲ୍ଲାରେ ଜେକେ ଟ୍ରଷ୍ଟ ସହଯୋଗରେ ୬୨୦ ଟି ସମନ୍ୱିତ ପଶୁଧନ ବିକାଶ କେନ୍ଦ୍ର (ଇ ଗ୍ରେଟେଡ ଲାଇଭଷ୍ଟକ ଡେଭଲପମେଟ ସେନଟର ) ଖୋଲାଯିବ ।

ଏହି ଯୋଜନାରେ ୫ ବର୍ଷରେ ୫ ହଜାର ଗାଁ ର ୩ ଲକ୍ଷ ପରିବାରକୁ ଡାଇରି ଡେଭଲପମେନଟ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିରେ ଜିଲ୍ଲାର ଶିକ୍ଷିତ ଯୁବକ ମାନଙ୍କୁ ଲାଇଭଷ୍ଟକ କେନ୍ଦ୍ର ଗୁଡିକରେ “ଗୋପାଳ’ ଭାବରେ ନିଯୁକ୍ତି ଦିଆଯିବା ସହତି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଜଣେ ଜଣେ ଲାଇଭଷ୍ଟକ ଇନସପେକ୍ଟର ରଖାଯିବ ବୋଲି ସେ କହିଥିଲେ ।

ପ୍ରକଳ୍ପ ଦଦ୍ୱାରାଦୁଗ୍ଧ ଉପ୍ତାଦନ ବୃଦ୍ଧି ପାଇବା ସହିତ କାର୍ଯ୍ୟକ୍ରମରେ ସଂଶ୍ଲିଷ୍ଟ ପରିବାର ଗୁଡିକର ରୋଜଗାର ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର କୃଷକ ମାନଙ୍କୁ ଚାଷ ସହିତ ଗୋପାଳନ, କୁକୁଡା ଚାଷ, ମାଛ ଚାଷ ଆଦି କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରିବା ସରକାରଙ୍କ ଲକ୍ଷ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପଶୁସଂପଦର ସ୍ୱାସ୍ଥ୍ୟ ରକ୍ଷା ପାଇଁ ରାଜ୍ୟର ଆଦିବାସି ଜିଲ୍ଲା ଗୁଡିକରେ ୧୦୫ ଟି ଭେଟେରୀନାରୀ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର କାମ କରୁଛି । ସେଥିରୁ କେବଳ ୮୦ ଟି କେବିକେ ଜିଲ୍ଲାରେ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ ମୁଳକ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

କୋରାପୁଟରେ ମୁଖ୍ୟମନ୍ତ୍ରୀ “ସାକ୍ଷର ଭାରତ କାର୍ଯ୍ୟକ୍ରମ” ଏବଂ “ନିଧି ମଉସା” ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ରମେଶ ମାଝୀ, ରବି ନାରାୟଣ ନନ୍ଦ, ସାଂସଦ ଜୟରାମ ପାଂଗୀ ଏବଂ ବିଧାୟକ ମାନେ ଯୋଗ ଦେଇଥିଲେ । ପ୍ରବଳ ବର୍ଷା ଯୋଗୁ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ବାତିଲ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version