Site icon Odisha.com

ପଦଯାତ୍ରାକୁ ନେଇ ଭଦ୍ରକ ବିଜେଡିରେ ଫାଟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ,ଅକ୍ଟେବର ୫ (ଓଡ଼ିଶା ଡ଼ଟ୍ କମ୍) – ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନ ଭଦ୍ରକ, ଧାମନଗର ଓ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ ହୋଇଯାଇଛି ।

ତେବେ ବିଲକ୍ଷଣ ହେଲା, ବିଜେଡି ପଦଯାତ୍ରାକୁ ନେଇ ଭଦ୍ରକ ବିଜେଡିରେ ଫାଟ । ଏଠାରେ ଯୁଗଳ ଓ ପ୍ରଫୁଲ୍ଲ ଗୋଷ୍ଠୀ ପକ୍ଷରୁ ସମାନ୍ତରାଳ ପଦଯାତ୍ରାର ଆୟୋଜନ ଭଦ୍ରକ ରାଜନୀତିରେ ଆଲୋଚ୍ୟ ପ୍ରସଙ୍ଗ ହୋଇଛି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିଜେଡି ଆଡୁ ଏହି ପଦଯାତ୍ରାର ଆୟୋଜନ ହେଉଥିଲେ ହେଁ ଅସଲରେ ପାରୀଙ୍କ ଅନୁପସ୍ଥିତିରେ ସଂଗଠନରେ ସାମାନ୍ୟ ହଲଚଲ ନାହିଁ ବୋଲି ସୂଚାଇଦେବାକୁ ଚେଷ୍ଟା କରାଯାଇଛି ।

ତେବେ ପୂର୍ବବର୍ଷ ଭଳି ଏଥରକ ସଭାସମିତିରେ ଆଉ ପ୍ୟାରୀବାବୁଙ୍କ ନାମ କେହି ନେତାଏ ନେଉନାହାନ୍ତି । ନବୀନ ପଟନାୟକ ହିଁ ଦଳର ସର୍ବମାନ୍ୟ ନେତା ଓ ତାଙ୍କରି ନେତୃତ୍ୱରେ ଓଡିଶା ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ବିଜେଡି ନେତାମାନେ ପ୍ରଚାର କରୁଛନ୍ତି ।

ଗୋଟିଏ ପକ୍ଷ ଅପରପକ୍ଷ ବିରୋଧରେ ଖୋଲାଖୋଲି ଭାବେ ଗଣମାଧ୍ୟମକୁ ବିବୃତି ରଖିବା ମଧ୍ୟ ଦଳୀୟ ଶୃଙ୍ଖଳା ପ୍ରତି ଚାଲେଞ୍ଜ ଆଣିଛି ।

ଅତୀତରେ ପ୍ରଫୁଲ୍ଲ ସମର୍ଥକମାନେ ଦଳଭିତରେ ସାଂସଦ ଶ୍ରୀ ସେଠୀଙ୍କୁ ଅନେକ ସମୟରେ ଅଡୁଆ ପରିସ୍ଥିତିରେ ପକାଉଥିଲେ । ମାତ୍ର ମନ୍ତ୍ରୀପଦ ଗଲା ପରେ ପ୍ରଫୁଲ୍ଲବାବୁଙ୍କ ସମର୍ଥକମାନେ ଯୁଗଳବାବୁଙ୍କ ସମର୍ଥକଙ୍କ ବିରୋଧରେ ସାଂସଦ ଶ୍ରୀ ସେଠୀଙ୍କ ନିକଟରେ ଫେରାଦ ହେବା କଥା କହୁଛନ୍ତି ।

ଅର୍ଥାତ ବିଜେଡିରେ ପ୍ୟାରୀ ଫାକ୍ଟର ଆଉ କାମ କରୁନଥିବାରୁ ଜିଲା ରାଜନୀତିରେ ସାଂସଦ ଶ୍ରୀ ସେଠୀ ହିଁ ସବୁଠାରୁ ପ୍ରଭାବଶାଳୀ ଏକଥା ବୁଝାପଡୁଛି ।

ଜିଲାରେ ଜନସମ୍ପର୍କ ଅଭିଯାନର ନେତୃତ୍ୱ ନେଉଛନ୍ତି ଜିଲା ବିଜେଡି ସଭାପତି ତଥା ସାଂସଦ ଅର୍ଜୁନ ସେଠୀ । ଦଳୀୟ ପର୍ଯ୍ୟବେକ୍ଷକ ଭାବେ ହୁସେନ ରବି ଗାନ୍ଧୀ ମଧ୍ୟ ପଦଯାତ୍ରାରେ ସାମିଲ ହେଉଛନ୍ତି ।

କେନ୍ଦ୍ରର ୟୁପିଏ ସରକାର ଓଡିଶାକୁ ଅବହେଳା କରୁଥିବା ନେଇ ପାରମ୍ପରିକ ଆରୋପ ସହିତ କେନ୍ଦ୍ର ସରକାରରେ ସଂଘଟିତ ମହାଦୁର୍ନୀତି ସଂପର୍କରେ ପଦଯାତ୍ରା ପରର ସଭାରେ ବିଜେଡି ନେତାମାନେ ଭାଷଣ ରଖୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version